ଦେବଗଡ: ଗ୍ରାମାଞ୍ଚଳର ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ନାନା ପ୍ରକାର ଯୋଜନା କାର୍ଯ୍ୟକାରୀ ହେଉଛି । ହେଲେ ରାତି ପାହିଲେ ଦେଶ ୭୬ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଥିବା ବେଳେ ଏବେ ବି ଓଡିଶାର ଅନେକ ଗାଁରେ ନାହିଁ ନିତିଦିନିଆ ରାସ୍ତା । ଅସରାଏ ବର୍ଷା ହେଲେ ରାସ୍ତାରେ ଯାତାୟତ ଠପ୍ ହୋଇପଡୁଛି । କାଦୁଅ ପଚ ପଚ ରାସ୍ତାରେ ପ୍ରତିଦିନ ଯିବାଆସିବା କରୁଛନ୍ତି ଗ୍ରାମବାସୀ । ଏହିଭଳି କିଛି ସ୍ଥିତି ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲା ତିଳେଇବଣି ବ୍ଲକ ଟାଇଁସର ପଞ୍ଚାୟତର ବେଲମୁରା ଗାଁରେ ।
ପକ୍କା ରାସ୍ତାଟିଏ ପାଇଁ ଆଜକୁ ଦୀର୍ଘ ସମୟ ହେଲା ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଠାରୁ ଆରମ୍ଭ କରି ତିଳେଇବଣି ବିଡ଼ିଓଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଆସୁଛନ୍ତି । ହେଲେ ଗ୍ରାମବାସୀଙ୍କ ସମସ୍ୟା ପ୍ରତି କାହାର ଦୃଷ୍ଟି ପଡୁନି । ଗ୍ରାମାଞ୍ଚଳ ରାସ୍ତାର ମରାମତି ଓ ପୁନଃରୁଦ୍ଧାର ପାଇଁ ସରକାର ପଞ୍ଚାୟତ ସ୍ତରରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ବେଲମରା ଗାଁ ରାସ୍ତା ଅବସ୍ଥା ଦେଖିଲେ ସରକାରଙ୍କ ଏହି ତମାମ୍ ଯୋଜନା ବାସ୍ତବରେ କିଭଳି କାର୍ଯ୍ୟକାରୀ ହେଉଛି ତାହା ଅନୁମାନ କରାଯାଇପାରେ ।
ଇଟିଭି ଭାରତ, ଦେବଗଡ