ଦେବଗଡ: ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ସମାଗମ । ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ପଂଚାୟତ କାର୍ଯ୍ୟାଳୟ ପରିସରରେ ଦେଖିବାକୁ ମିଳିଛି ଏପରି ଏକ ବିରଳ ଦୃଶ୍ୟ । ହଜାର ହଜାର ସଂଖ୍ୟାରେ ବିରଳ ବିଦେଶୀ ପକ୍ଷୀଙ୍କ ସମାଗମ ସ୍ଥାନୀୟ ଜନସାଧାରଣ ଓ ପକ୍ଷୀପ୍ରେମୀଙ୍କୁ ଉଲ୍ଲସିତ କରିଛି ।
କୁଣ୍ଢେଇଗୋଳା ପଞ୍ଚାୟତ ପରିସରରେ ଥିବା ଏକ ତେନ୍ତୁଳି ଗଛରେ ହଜାର ହଜାର ସଂଖ୍ୟାରେ ବିରଳ ପ୍ରଜାତିର ବିଦେଶୀ ପକ୍ଷୀ ବସା ବାନ୍ଧିଥିବା ଦେଖାଯାଇଛି । ଏହାକୁ ସ୍ଥାନୀୟ ଲୋକେ ଓଡ଼ିଆରେ ଗେଣ୍ଡାଳିଆ ବୋଲି କହୁଛନ୍ତି । ଆଜକୁ ଦଶ ବର୍ଷ ହେଲା ପ୍ରତିବର୍ଷ ଜୁନ ମାସରେ ଏହି ପକ୍ଷୀମାନେ ଏଠାକୁ ଆସିଥାନ୍ତି ଓ ଅଣ୍ଡା ଫୁଟାଇବା ପରେ ନିଜ ଛୁଆକୁ ନେଇ ଜାନୁଆରୀ ମାସରେ ଏଠାରୁ ଅନ୍ୟତ୍ର ଚାଲି ଯାଇଥାନ୍ତି ।
ଏହା ସେମାନଙ୍କ ପାଇଁ ସୁରକ୍ଷିତ ସ୍ଥାନ ଓ ବିଶେଷ କରି ଗାଁ ନିକଟରେ ପ୍ରବାହିତ ହେଉଥିବା ଟିକିରା ନଦୀରେ ପ୍ରଚୁର ଖାଦ୍ୟ ମିଳୁଥିବାରୁ ପକ୍ଷୀମାନେ ପ୍ରତିବର୍ଷ ଏହି ସ୍ଥାନକୁ ଆସିଥାନ୍ତି ବୋଲି ପକ୍ଷୀପ୍ରେମୀ ମାନେ ମତବ୍ୟକ୍ତ କରିଛନ୍ତି । ଏହି ପକ୍ଷୀଙ୍କ ରଙ୍ଗ ଧଳା ଓ ଓଜନ ପ୍ରାୟ 5/6 କିଲୋ ପର୍ଯ୍ୟନ୍ତ ହୋଇଥିବା ଜଣାଯାଏ ।
ଏହି ପ୍ରଜାତିର ପକ୍ଷୀମାନଙ୍କୁ ଦେଖିବା ପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିବା ବେଳେ , ସ୍ଥାନୀୟ ଗ୍ରାମବାସୀ ଓ ପକ୍ଷୀପ୍ରେମୀ ମାନେ ଏହାକୁ ସୁରକ୍ଷା ପ୍ରଦାନ କରି ଆସୁଛନ୍ତି । ଫଳରେ ପ୍ରତିବର୍ଷ ଏଠାରେ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ