ଦେବଗଡ଼: ସ୍ଵଛ ମିଶନରେ ଦେବଗଡ଼ ପୌର ପରିଷଦ ପାଇଛି ଉଲ୍ଲେଖନୀୟ ସଫଳତା । ଦେବଗଡ଼ ସହରକୁ ବାହ୍ୟ ମଳମୁକ୍ତ ସହର ଭାବେ ଘୋଷଣା କରିଛନ୍ତି ସରକାର । ସହରର ବିଭିନ୍ନ କାନ୍ଥବାଡ଼ରେ ମାଳମାଳ ହୋଇ ଶୋଭା ପାଉଛି ସ୍ଵଛତାର ବାର୍ତ୍ତା । ମାତ୍ର ଏସବୁ ଯେ କେବଳ ଲୋକ ଦେଖାଣିଆ ଓ ବାସ୍ତବତା ଏଠାରୁ ସମ୍ପୂର୍ଣ୍ଣ ଭିନ୍ନ , ତାହା ସ୍ପଷ୍ଟ ପରିଲକ୍ଷିତ ହୋଇଛି ଏହି ପୌରାଞ୍ଚଳର 9 ନମ୍ବର ୱାର୍ଡ ପତ୍ରପାଲି ସାହିରେ ।
ଦେବଗଡ଼ ପୌର ପରିଷଦ ଅନ୍ତର୍ଗତ ନଅ ନମ୍ବର ୱାର୍ଡ ପତ୍ରପାଲି ସାହିରେ ଗତ 2017 - 18 ମସିହାରେ ପୌର ପରିଷଦ ପକ୍ଷରୁ ନିର୍ମାଣ କରାଯାଇଥିଲା ଏକ ଗୋଷ୍ଠୀ ଶୌଚାଳୟ । ସାହି ବାସିନ୍ଦାଙ୍କ ସ୍ନାନ ଓ ଶୌଚ ପାଇଁ ସମସ୍ତ ବ୍ୟବସ୍ଥା ଉପଲବ୍ଧ ଥିଲା ଏଠାରେ । ମାତ୍ର ଗୋଷ୍ଠୀ ଶୌଚାଳୟଟି କିଛିଦିନ ଖୋଲା ରହିବା ପରେ ଆଜକୁ ଦେଢ଼ ବର୍ଷ ହେଲା ଏଠାରେ ତାଲା ଝୁଲୁଛି । ଏହାକୁ କାର୍ଯ୍ୟକ୍ଷମ କରିବା ଦିଗରେ ପୌର କତ୍ତୃପକ୍ଷଙ୍କ ଆନ୍ତରିକତା ଅଭାବରୁ ଏହା ଦୀର୍ଘଦିନ ହେବ ପରିତ୍ୟକ୍ତ ଭାବେ ପଡିରହିଛି ।
କେବଳ ଏତିକି ନୁହେଁ, ସ୍ଵଛତାର ବାର୍ତ୍ତା ଦେଉଥିବା ପୌର କର୍ତ୍ତୃପକ୍ଷ ପୌରାଞ୍ଚଳର ସମସ୍ତ ଅଳିଆ ଆବର୍ଜନା ଆଣି9 ନମ୍ବର ୱାର୍ଡସ୍ଥିତ ଅଙ୍ଗନବାଡି କେନ୍ଦ୍ର ପାଖରେ ଠୁଳ କରୁଥିବା ଦେଖାଯାଇଛି । ଫଳରେ ଏଥିଯୋଗୁଁ ନିକଟରେ ଥିବା ଅଙ୍ଗନବାଡି କେନ୍ଦ୍ରର କୁନିକୁନି ଶିଶୁ ଓ ସାହି ବାସିନ୍ଦା ଭୟଙ୍କର ପ୍ରଦୂଷଣର ଶୀକାର ହେଉଛନ୍ତି । ଏସମ୍ପର୍କରେ ସାହିବାସିନ୍ଦା ବାରମ୍ବାର ପୌର କତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରି ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁନାହିଁ ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ