ଦେବଗଡ଼ : ଚାଲିଛି ରାସ୍ତାକାମ । ନା ଅଛି ସୂଚନା ଫଳକ ନା ଏବାବଦରେ ସୂଚନା ଅଛି ବିଭାଗୀୟ ଅଧିକାରୀଙ୍କ ନିକଟରେ। ଏଭଳି ଚିତ୍ର ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକର ସରୁପା ଗାଁରେ । ଗତ କିଛିଦିନ ହେଲା ଜିଲ୍ଲା ତିଳେଇବଣି ବ୍ଲକ ଲାଇମୁରା ପଞ୍ଚାୟତର ଆରଡ଼ି ରାସ୍ତାରୁ ସରୁପା ଗାଁକୁ ଯାଇଥିବା 2 କିମି ରାସ୍ତାର ଉନ୍ନତିକରଣ କାର୍ଯ୍ୟ ଚାଲିଛି । କେହି ଜଣେ ଠିକାଦାର ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ବେଧଡକ ଭାବେ ମାଟି ଓ ମୋରୁମ ଉତ୍ତୋଳନ କରି ମେସିନ ସାହାଯ୍ୟରେ ରାସ୍ତା ଉପରେ ବିଛାଇ ଚାଲିଛନ୍ତି ।
ରାସ୍ତା ଉନ୍ନତିକରଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ଏହି ରାସ୍ତା ଦେଇ ଯାତାୟତ କରିବା କଷ୍ଟକର ହୋଇପଡୁଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା ଏହି ରାସ୍ତାର ଉନ୍ନତିକରଣ କାର୍ଯ୍ୟ କେଉଁ ଯୋଜନାରୁ ହେଉଛି ? ଏଥିରେ ବ୍ୟୟ ଅଟକଳ କେତେ ? ଏହା କିଏ ନିର୍ମାଣ କରୁଛନ୍ତି ? ସେ ସମ୍ବନ୍ଧରେ କାର୍ଯ୍ୟସ୍ଥଳରେ କୌଣସି ସୂଚନା ଫଳକ ମରାଯାଇନାହିଁ । କେବଳ ସେତିକି ନୁହେଁ, ଏ ସମ୍ପର୍କରେ ଲାଇମୁରା ପଞ୍ଚାୟତରେ କୌଣସି ସୂଚନା ନଥିବା ଗ୍ରାମ୍ୟ ରୋଜଗାର ସେବକ ପ୍ରକାଶ କରିଛନ୍ତି ।
ଏ ସମ୍ପର୍କରେ ଆମେ ତିଳେଇବଣି ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ପଚାରିଥିଲୁ । ମାତ୍ର କ୍ଷୋଭର ବିଷୟ ଯେ, ତାଙ୍କ ପାଖରେ ମଧ୍ୟ ରାସ୍ତା ସମ୍ପର୍କରେ କୌଣସି ତଥ୍ୟ ନଥିବା ସେ ପ୍ରକାଶ କରିଥିଲେ । ସରକାରୀ ନିର୍ଦ୍ଦେଶ ଅନୁଯାୟୀ ,କୌଣସି ଉନ୍ନତିମୂଳକ କାର୍ଯ୍ୟ ଆରମ୍ଭ କରାଯିବା ପୂର୍ବରୁ କାର୍ଯ୍ୟସ୍ଥଳରେ କାର୍ଯ୍ୟ ସମ୍ୱନ୍ଧୀୟ ସୂଚନା ଫଳକ ମରାଯିବା ଜରୁରୀ ଅଟେ । ମାତ୍ର, ଏଠାରେ ଏହି ସରକାରୀ ନିର୍ଦ୍ଦେଶନାମାର ଖୋଲାଖୋଲି ଉଂଲଙ୍ଘନ ହେଉଥିବା ଦେଖିବାକୁ ମିଳିଛି । ତେବେ, ଏଠାରେ ପ୍ରଶ୍ନ ଉଠୁଛି ଯଦି ବିଭାଗୀୟ କତ୍ତୃପକ୍ଷଙ୍କ ପାଖରେ ସରୁପା ଗାଁ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ସମ୍ପର୍କରେ ସୂଚନା ନାହିଁ । ତାହାଲେ ଏହି କାର୍ଯ୍ୟ ଚାଲିଛି କିପରି ?
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ