ଦେବଗଡ: ଠିକା କର୍ମଚାରୀଙ୍କୁ ପୌର ନିର୍ବାହୀ ଅଧିକାରୀ ଦାୟିତ୍ବ ଦେବା ଘଟଣା । ଚାକିରି ବୈଧତା ନ ଥିବା ଜଣେ ଠିକା କର୍ମଚାରୀଙ୍କୁ ପୌର ନିର୍ବାହୀ ଅଧିକାରୀ ଦାୟିତ୍ୱ ଦେବା ପରେ ବିଭିନ୍ନ ମହଲରେ ତୀବ୍ର ବିରୋଧ କରାଯାଇଥିଲା । ଯାହାକୁ ନେଇ ପରବର୍ତ୍ତୀ ସମୟରେ ସମ୍ପୃକ୍ତ ଠିକା କର୍ମଚାରୀଙ୍କ ଦାୟିତ୍ୱରୁ ହଟାଇ ଜଣେ ଆସିଷ୍ଟାଣ୍ଟ କଲେକ୍ଟରଙ୍କୁ ନୂତନ ଭାବେ ଦାୟିତ୍ୱ ଦେଇଛନ୍ତି ଦେବଗଡ଼ ଜିଲ୍ଲାପାଳ ସୌମେଶ ଉପାଧ୍ୟାୟ ।
ସୂଚନା ମୁତାବକ, ଦେବଗଡ଼ ପୌର କାର୍ଯ୍ୟାଳୟରେ ଅବସ୍ଥାପିତ ଥିବା ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ରଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ଅପସାରଣ କରାଯାଇଥିଲା । ଏହା ପରେ ଜିଲ୍ଲାପାଳ ଏହି ପଦବୀରେ ପୌର କାର୍ଯ୍ୟାଳୟର ଜଣେ ଠିକା କର୍ମଚାରୀ ସରସ୍ୱତୀ ମହାନନ୍ଦଙ୍କୁ ନିର୍ବାହୀ ଅଧିକାରୀ ଭାବେ ଚଳିତ ମାସ ୧୫ ତାରିଖ ଦିନ ଦାୟିତ୍ୱ ପ୍ରଦାନ କରିଥିଲେ । ଗତ ୨୦୧୩ ଫେବୃଆରୀ ୪ ତାରିଖରେ ବିଆରଜିଏଫ ଯୋଜନା ପାଇଁ ତାଙ୍କୁ ଅସ୍ଥାୟୀ କର୍ମଚାରୀ ଭାବେ ନିଯୁକ୍ତି ଦିଆଯାଇଥିଲା । ଯୋଜନାର ଅବଧି ସମାପ୍ତ ପରେ ତାଙ୍କୁ ନିଯୁକ୍ତି ବୈଧତା ବାତିଲ ହୋଇଯିବ ବୋଲି ନିଯୁକ୍ତି ପତ୍ରରେ ସ୍ପଷ୍ଟ ଉଲ୍ଲେଖ ଥିଲା । ମାତ୍ର ଆଶ୍ଚର୍ଯ୍ୟର ବିଷୟ ଏହି ଯୋଜନା ଆଜକୁ ଦୀର୍ଘବର୍ଷ ହେଲା ସମାପ୍ତ ହୋଇ ସାରିଥିଲେ ସୁଦ୍ଧା, ଏହି କର୍ମଚାରୀଙ୍କ ନିଯୁକ୍ତି ଏଯାଏ ବାତିଲ କରାଯାଇନାହିଁ । ସରକାରୀ ନିୟମ ଉଲ୍ଲଘଂନ କରି ବେଆଇନ ଭାବେ ପୂର୍ବଭଳି ପୌର କାର୍ଯ୍ୟାଳୟରେ ସହକାରୀ ଯନ୍ତ୍ରୀ ଦାୟିତ୍ବ ତୁଲାଇ ଆସୁଥିଲେ ।
ଏହା ମଧ୍ୟ ପଢନ୍ତୁ - ଠିକା କର୍ମଚାରୀଙ୍କୁ ପୌର ନିର୍ବାହୀ ଅଧିକାରୀ ଦାୟିତ୍ବ , ବିଜେପିର ତୀବ୍ର ବିରୋଧ
ଏନେଇ ବିଜେପି ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯିବା ସହ ପୁନର୍ବିଚାର କରାନଗଲେ ଆଗକୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବାକୁ ଦଳ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ତେବେ ବିଭିନ୍ନ ମହଲରେ ଏହାର ବିରୋଧ ପରେ ଜିଲ୍ଲାପାଳ ଉପାଧ୍ୟାୟ ନିଜ ଭୁଲକୁ ସୁଧାରି ଗତ ୨୧ ତାରିଖ ଦିନ ତାଙ୍କ ପତ୍ର ସଂଖ୍ୟା ୭୫୭୦ରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଆସିଷ୍ଟାଣ୍ଟ କଲେକ୍ଟର ରାଜୀବ ଲୋଚନ ନାୟକଙ୍କୁ ପୌର ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ପ୍ରଦାନ କରିଛନ୍ତି । ନିଯୁକ୍ତିର ବୈଧତା ନଥିବା ସତ୍ତ୍ୱେ ସରସ୍ୱତୀ ମହାନନ୍ଦଙ୍କୁ ଜିଲ୍ଲାପାଳ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ପୁଣି ଥରେ ପୌର ନିର୍ବାହୀ ଅଧିକାରୀ ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି ତାହା ତଦନ୍ତ ସାପେକ୍ଷ ବୋଲି ବିଭିନ୍ନ ମହଲରୁ ଦାବି ହୋଇଛି ।
ଇଟିଭି ଭାରତ, ଦେବଗଡ