ଦେବଗଡ଼: ପରକିୟା ପ୍ରୀତିକୁ ନେଇ ବାରକୋଟ ଥାନା ଅନ୍ତର୍ଗତ ମଝିଚାଖୁଣ୍ଡାପାଳ ଗାଁରେ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ । ଏଥିରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇ ଦେବଗଡ଼ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବାରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକର ମୃତଦେହ ଉଦ୍ଧାର କରିଛି ।
ସୂଚନା ଅନୁଯାୟୀ, ମଝିଚାଖୁଣ୍ଡାପାଳ ଗାଁର ଶ୍ରଦ୍ଧାକର ମାଝୀଙ୍କ ପୁଅ ନରେଶ ମାଝୀ କେନ୍ଦୁଝର ଜିଲ୍ଲାରେ ଚାକିରି କରନ୍ତି । ଗ୍ରାମରେ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଓ ପରିବାର ଲୋକେ ରୁହନ୍ତି । ଗୁରୁବାର ରାତିରେ ଭାଟସିଂ ଗାଁର ଧରଣୀ ନାୟକଙ୍କ ପୁଅ ସୁମନ୍ତ ନାୟକ (25) ନରେଶଙ୍କ ସ୍ତ୍ରୀ ରହୁଥିବା କୋଠରୀରେ ପଶିଥିଲେ । ଲକ୍ଷ୍ମୀଙ୍କ ଶାଶୁ ଏହା ଜାଣିପାରି ପରିବାର ଲୋକଙ୍କୁ କହିଥିଲେ । ନରେଶଙ୍କ ବାପା ଓ ଦୁଇ ପୁଅ ଉଭୟଙ୍କୁ ଏକସଙ୍ଗେ ଦେଖିବା ପରେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଧସ୍ତାଧସ୍ତି ହୋଇଥିଲା ।
ତେବେ ଆଜି ସକାଳେ ସେହି କୋଠରୀ ଖଟ ଉପରେ ସୁମନ୍ତର ମୃତଦେହ ପଡିଥିବା ବେଳେ ଲକ୍ଷ୍ମୀଙ୍କ ବାମହାତ ଶିରାକଟି ଅଚେତ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଘଟଣାକୁ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି ।
ଗୌଡ଼ସୁଗୁଡା ସରପଞ୍ଚ କୌଣସି ସୂତ୍ରରୁ ଜାଣିପାରି ଏସମ୍ପର୍କରେ ବାରକୋଟ ପୋଲିସକୁ ଖବର ଦେଇଥିଲେ । ବାରକୋଟ ଥାନା ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଅଚେତ ଅବସ୍ଥାରେ ଥିବା ଲକ୍ଷ୍ମୀଙ୍କୁ ଉଦ୍ଧାର କରି ଦେବଗଡ଼ ମେଡିକାଲ ପଠାଇବା ସହିତ ସୁମନ୍ତର ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଥିବା ଜଣାଯାଇଛି । ସାଇଣ୍ଟିଫିକ ଟିମ ସହାୟତାରେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
ଦେବଗଡ଼ରୁ ସରୋଜ ଶତପଥି,ଇଟିଭି ଭାରତ