ଦେବଗଡ଼ : ପ୍ରେମିକ ଘର ଆଗରେ ଧାରଣା ଦେଲେ ପ୍ରେମିକା । ଶଙ୍ଖା, ସିନ୍ଦୁର ଧରି ଧାରଣାରେ ବସି ରହିଛି ପ୍ରେମିକା । ପ୍ରେମିକକୁ ବିବାହ କରିବା ଜିବିରେ ଅଟଳ ପ୍ରେମିକା । ସେପଟେ ପ୍ରେମିକ ଜଣକ ଘରୁ ଫେରାର୍ ଥିବା ଜଣାଯାଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ବାବରାକୋଟ ଗ୍ରାମରେ ।
ସୂଚନା ଅନୁଯାୟୀ, ରିଆମାଳ ଥାନା ଅନ୍ତର୍ଗତ ବାବରାକୋଟ ଗ୍ରାମର ସଞ୍ଜୟ ସାହୁ ନାକଟିଦେଉଳ ଥାନା ଅନ୍ତର୍ଗତ ହିନ୍ତସରା ଗ୍ରାମର ଜନୈକ ଯୁବତୀଙ୍କ ସହ ଦୀର୍ଘ ବର୍ଷ ଧରି ପ୍ରେମ ସମ୍ପର୍କ ରଖିଥିଲେ । ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଇ ଅନେକ ସମୟରେ ଶାରୀରିକ ସମ୍ପର୍କ ରଖିବା ସହ ବିଭିନ୍ନ ଆଳ ଦେଖାଇ ଲକ୍ଷାଧିକ ଟଙ୍କା ପ୍ରେମିକା ଠାରୁ ନେଇଥିଲେ । ଏଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ପ୍ରେମିକା । ତେବେ ସଞ୍ଜୟଙ୍କୁ ବିବାହ ନକରିବା ପର୍ଯ୍ୟନ୍ତ ସେ ତାଙ୍କ ଘର ସାମ୍ନାରୁ ଉଠିବେ ନାହିଁ ବୋଲି ରୋକଠୋକ ମନା କରିଦେଇଛନ୍ତି । ପୂର୍ବରୁ ପ୍ରେମିକା ଜଣକ ନାକଟିଦେଉଳ ଥାନାରେ ସଞ୍ଜୟ ପ୍ରେମରେ ପ୍ରତାରଣା କରିଥିବା ନେଇ ଅଭିଯୋଗ କରିଥିଲେ । ଏନେଇ ସଞ୍ଜୟ ଗିରଫ ହୋଇ ଦେଢ଼ ବର୍ଷ ଜେଲରେ ବିଚାରଧୀନ ବନ୍ଦୀ ଭାବେ ରହିଥିଲେ । ସଞ୍ଜୟଙ୍କ ପରିବାର ଲୋକ ଯୁବତୀଙ୍କୁ ବୁଝାସୁଝା କରି କୋର୍ଟରେ ଆପୋଷ ସମାଧାନ ନେଇ ଦରଖାସ୍ତ କରିବାରୁ ସଞ୍ଜୟ ଜେଲରୁ ମୁକୁଳି ଥିଲେ । ପରେ ସଞ୍ଜୟ ନିଜ ଗାଁରେ ଦୋକାନ ଖୋଲିବା ପାଇଁ ପ୍ରେମିକାଙ୍କ ଠାରୁ ବିଭିନ୍ନ ସମୟରେ ଲକ୍ଷାଧିକ ଟଙ୍କା ଆଣିଥିଲେ । ତେବେ ଗତ କିଛି ଦିନ ହେଲା ସଞ୍ଜୟ ଆଉ ତାଙ୍କୁ ଧରାଛୁଆଁ ଦେଉନଥିବା ନେଇ ଅଭିଯୋଗ କରିଛନ୍ତି ପ୍ରେମିକା ।
ଏପରିକି ତାଙ୍କ ଫୋନ ନମ୍ବର ବ୍ଲକ୍ କରି ଦେଇଥିବା ଅଭିଯୋଗ କରିଛନ୍ତି । ତେବେ ଅନ୍ୟ କୌଣସି ନମ୍ବର ଯୋଗେ ସଞ୍ଜୟକୁ ଯୋଗାଯୋଗ କରିବାରୁ ତାଙ୍କୁ ଗାଳିଗୁଲଜ ଓ ହତ୍ୟା ଧମକ ଦେଉଥିବା ନେଇ ପ୍ରେମିକା ଅଭିଯୋଗ କରିଛନ୍ତି । ଏନେଇ ପ୍ରେମିକା ସଞ୍ଜୟଙ୍କ ଘର ସାମ୍ନାରେ ଧାରଣାରେ ବସିଥିବା ବେଳେ ସଞ୍ଜୟ ଘରୁ ଫେରାର୍ ରହିଥିବା ଜଣାଯାଇଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ସେପଟେ ପ୍ରେମିକର ପରିବାର ଲୋକ ଏନେଇ କିଛି ଜାଣିନଥିବା ସଫେଇ ଦେଇଛନ୍ତି । ଘଟଣାସ୍ଥଳରେ ରିଆମାଳ ପୋଲିସ ପହଞ୍ଚି ବୁଝାସୁଝା କରୁଥିଲେ ମଧ୍ୟ ପତ୍ନୀର ସ୍ୱୀକୃତି ନମିଳିବା ଯାଏଁ ଘର ସମ୍ମୁଖରେ ଧାରଣାରେ ବସି ରହିବି ବୋଲି ପ୍ରେମିକା ନିଜ ଜିଦରେ ଅଟଳ ରହିଛନ୍ତି ।
ବ୍ରହ୍ମପୁରର ବହୁ ଚର୍ଚ୍ଚିତ ତପସ୍ବୀନି ଏବଂ ଦୀପିକା ଘଟଣା ପରେ ଏବେ ଚର୍ଚ୍ଚକୁ ଆସିଛନ୍ତି ଦେବଗଡ଼ ଜିଲ୍ଲାର ଏହି ଯୁବତୀ ।
ଇଟିଭି ଭାରତ, ଦେବଗଡ଼