ଦେବଗଡ: ସାରା ରାଜ୍ୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର 5 ତାରିଖ ଠାରୁ ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଦେବଗଡ଼ ସହରରେ ମଧ୍ୟ ଲକଡାଉନର ପ୍ରଭାବ ଦେଖିବାକୁ ମିଳିଛି । ଜିଲ୍ଲା ମୁଖ୍ୟାଳୟଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଲକଡାଉନକୁ କଡାକଡି କରାଯାଇଛି । ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଏବଂ ଜରୁରୀକାଳୀନ ସେବାକୁ ଛାଡ଼ି ଅନ୍ୟ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଓ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଦିନ ୧୨ଟା ପରେ ସ୍ୱତଃପ୍ରବୃତ ଭାବେ ସାରା ଜିଲ୍ଲାରେ ଚଳ ପ୍ରଚଳ ସମ୍ପୂର୍ଣ୍ଣ ଠପ ହେବା ଫଳରେ ସାରା ସହର ଜନଶୂନ୍ୟ ହୋଇ ଖାଁ ଖାଁ ଲାଗୁଥିବା ଦେଖିବାକୁ ମିଳିଥିଲା।
ଜିଲ୍ଲା ପୋଲିସ ପକ୍ଷରୁ ଏସଡିପିଓଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସାରା ଜିଲ୍ଲାରେ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିଥିଲା । ଏହାସହ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇ କଡ଼ାକଡ଼ି ଯାଞ୍ଚ କରାଯାଉଥିଲା। ଲକଡାଉନ ନିୟମକୁ ଜିଲ୍ଲାବାସୀଙ୍କ ପକ୍ଷରୁ ଅଦ୍ଭୂତପୂର୍ବ ସମର୍ଥନ ମିଳିଥିଲା । ଲକଡାଉନକୁ ଜିଲ୍ଲାବାସୀ ସହଯୋଗ କଲେ ଏହା ନିଶ୍ଚିତ ସଂକ୍ରମଣକୁ ପ୍ରତିହତ କରିପାରିବ ବୋଲି ଦେବଗଡ଼ ଏସପି କହିଛନ୍ତି ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ