ଦେବଗଡ଼: ଗରିବଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା । ଆଉ ଏହି ଯୋଜନା ଯଦି ଗରିବଙ୍କ କାର୍ଯ୍ୟରେ ଲାଗେ ତାହା ସୌଭାଗ୍ୟର ବିଷୟ । ଏମିତି ସୌଭାଗ୍ୟ ପ୍ରାପ୍ତ ହୋଇଥିଲା ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ପଳସମା ଗାଁର ସୁକାନ୍ତି ବଘାରଙ୍କ ପରିବାରକୁ ।
ଗତ 2016 ମସିହାରେ ସୁକାନ୍ତି ବଘାରଙ୍କ ନାମରେ ସରକାର ଇନ୍ଦିରା ଆବାସ ଯୋଜନାରେ ମଞ୍ଜୁର କରିଥିଲେ ଖଣ୍ଡିଏ ପକ୍କା ବାସଗୃହ । ଗୃହ ନିର୍ମାଣ ପାଇଁ ପଞ୍ଚାୟତ ପକ୍ଷରୁ ମିଳିଥିଲା ୱାର୍କ ଅର୍ଡର । ମାତ୍ର ସ୍ୱାମୀ ମେଘ ବଘାରଙ୍କ ଦେହ ଗୁରୁତର ଅସୁସ୍ଥ ଥିବାରୁ ହିତାଧିକାରୀ ଜଣକ ବାସଗୃହ ଖଣ୍ଡିକ ନିର୍ମାଣ କରିବା ପାଇଁ ଅସମର୍ଥ ଥିଲେ । ଯାହାର ସୁଯୋଗ ନେଇଥିଲେ ପଞ୍ଚାୟତ ଗ୍ରାମ ସେବକ । ହିତାଧିକାରୀ ସୁକାନ୍ତିଙ୍କୁ ଗୃହ ନିର୍ମାଣ କରି ଦେବା ପ୍ରତିଶୃତି ଦେଇ ତାଙ୍କ ପାଖରୁ ୱାର୍କ ଅର୍ଡର ଓ ବ୍ୟାଙ୍କ ପାସବୁକ ନେଇ ଏହି ଗୃହ ନିର୍ମାଣ ପାଇଁ ଅନ୍ୟ ଜଣେ ଠିକାଦାରଙ୍କୁ ଦାୟିତ୍ୱ ଦେଇଥିଲେ । ମାତ୍ର ସମ୍ପୃକ୍ତ ଠିକାଦାର ଜଣକ ଏଷ୍ଟିମେଟ ଅନୁଯାୟୀ ଗୃହ ନିର୍ମାଣ ନକରି ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରି ଅନୁଦାନ ଅର୍ଥ ହଡପ କରି ନେଇଥିଲା । ଫଳରେ ଘରଟି ଅଧାପନ୍ତରିଆ ଅବସ୍ଥାରେ ସୁକାନ୍ତିଙ୍କୁ ହସ୍ତାନ୍ତର କରାଯାଇଥିଲା ।
ପରିତାପର ବିଷୟ ଯେ, ସୁକାନ୍ତି ନିଜ ସ୍ୱାମୀ ଓ 4 ଝିଅଙ୍କୁ ନେଇ ଏହି ଘରେ ରହିବାର ମାତ୍ର 10 ଦିନ ପରେ ଘରଟି ଭୁଶୁଡି ପଡିଥିଲା । ତେବେ ସୌଭାଗ୍ୟବଶତଃ ପରିବାରଟି ଏଥିରୁ ବଞ୍ଚି ଯାଇଥିଲେ, ହେଲେ ଆଜକୁ 3 ବର୍ଷ ହେବ ଅଧାପନ୍ତରିଆ ଘରେ ଅସୁରକ୍ଷିତ ଭାବେ ପଡି ରହିଛନ୍ତି ସାରା ପରିବାର । ପୁନର୍ବାର ଘରଟି ନିର୍ମାଣ କରି ଦେବା ପାଇଁ ହିତାଧିକାରୀ ଜଣକ ବାରମ୍ବାର ଗ୍ରାମସେବକଠୁ ସରପଞ୍ଚ ଏବଂ ରିଆମାଳ ବିଡ଼ିଓଙ୍କୁ ଜଣାଇ ଆସୁଛନ୍ତି । ହେଲେ କୌଣସି ସୁଫଳ ମିଳିପାରୁନାହିଁ ।
ସେପଟେ ପଳସମା ଗାଁର ଏହି ବାସହରା ପରିବାରକୁ ପୁନଃ ଥଇଥାନ କରିବା ଦିଗରେ ପ୍ରଶାସନ ବିହିତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ