ଦେବଗଡ: ବିଷାକ୍ତ ପାଲଟିଛି ରାଜ୍ୟର ଦ୍ବିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ । କଳ କାରଖାନା କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବ ପାଇଁ ଏବେ ବିପଦକୁ ଠେଲି ହୋଇଯାଇଛି ଅନେକ ମତ୍ସ୍ୟଜୀବୀଙ୍କ ଜୀବିକା । ନଦୀ ପ୍ରଦୂଷଣ ଯୋଗୁଁ ବ୍ରାହ୍ମଣୀ ତଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା 66ଟି ଗାଁର 1072 ମତ୍ସ୍ୟଜୀବୀଙ୍କ ଜୀବିକା ଉପରେ ଏବେ ସଙ୍କଟ ମାଡି ଆସିଛି ।
ରାଉରକେଲା ସ୍ଥିତି ବେଦବ୍ୟାସ ଠାରେ ଶଙ୍ଖ ଓ କୋଇଲି ନଦୀର ମିଳନରୁ ଉତ୍ପତ୍ତି ବ୍ରାହ୍ମଣୀ ନଦୀ । ଦେବଗଡ ଓ ଅନୁଗୋଳ ଜିଲ୍ଲା ଦେଇ ଏହି ନଦୀ ପ୍ରଭାବିତ ହେଉଥିବାବେଳେ, ଅନୁଗୋଳର ରେଙ୍ଗାଲୀ ଠାରେ ନିର୍ମାଣ ହୋଇଛି ବହୁମୁଖୀ ନଦୀବନ୍ଧ ଯୋଜନା । ଏହି ନଦୀ ବନ୍ଧ ଦ୍ବାରା ଦେବଗଡ ଜିଲ୍ଲାର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହେବା ଦ୍ବାରା ସୃଷ୍ଟି ହୋଇଛି ବିସ୍ତୀର୍ଣ୍ଣ ଜଳଭଣ୍ଡାର । ଯେଉଁଠାରୁ ଓଡିଶା ସରକାରଙ୍କ ମତ୍ସ୍ୟ ସମ୍ପଦ ବିଭାଗ ପକ୍ଷରୁ ମାଛ ଚାଷ କରାଯାଏ । ହେଲେ ନଦୀ ଦିନକୁ ଦିନ ପ୍ରଦୂଷିତ ହେଉଛି । ଫଳରେ ବର୍ତ୍ତମାନ ବ୍ରାହ୍ମଣୀ ତଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ମତ୍ସ୍ୟଜୀବୀଙ୍କ ପେଟପାଟଣା ସଙ୍କଟରେ ।
ବ୍ରାହ୍ମଣୀର ଉପର ମୁଣ୍ଡରେ ଥିବା ଶିଳ୍ପ ନଗରୀ ରାଉରକେଲାରେ କଳ କାରଖାନାର ସଂଖ୍ୟା ବଢିବାରେ ଲାଗିଛି । ଏଠାରୁ ନିର୍ଗତ ବର୍ଜ୍ୟ ଜଳ ଆସି ବ୍ରାହ୍ମଣୀ ନଦୀରେ ମିଶୁଛି । ଜୁଲାଇ-ଅଗଷ୍ଟରେ ନଦୀରେ ବନ୍ୟା ପାଣି ଆସିବା ସମୟରେ ତଳମୁଣ୍ଡରୁ ମାଛ ଉଠି ଆସି ଉପର ମୁଣ୍ଡରେ ଅଣ୍ଡା ଦେଇଥାନ୍ତି । କିନ୍ତୁ ଠିକ ଏହି ସମୟରେ ବିଭିନ୍ନ କଳକାରଖାନା ବିନା ବିଶୋଧନରେ ନଦୀକୁ ବର୍ଜ୍ୟ ଜଳ ଛାଡିଥାନ୍ତି । ଯାହା ନଦୀକୁ ବିଷାକ୍ତ କରିବା ସହ ଅସଂଖ୍ୟ ଯାଅଁଳ ମାଛଙ୍କ ମୃତ୍ୟୁ ହେଉଛି । ଯାହା ଏବେ ମତ୍ସ୍ୟଜୀବୀଙ୍କ ଜୀବିକାକୁ ସଙ୍କଟରେ ପକାଇଛି । ସେପଟେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ କଳକାରଖାନା କର୍ତ୍ତୃପକ୍ଷଙ୍କୁ ଜଣାଇବା ସତ୍ତ୍ବେ ଏହି ସମସ୍ୟାର ସମାଧାନ ହୋଇପାରୁନାହିଁ । ଦେବଗଡ ଜିଲ୍ଲା ମତ୍ସ୍ୟ ସମ୍ପଦ ଅଧିକାରୀ କହିଛନ୍ତି ସରକାର ଏ ବିଷୟରେ ଅବଗତ ଅଛନ୍ତି ।
ବ୍ରାହ୍ମଣୀ ପ୍ରଦୂଷଣକୁ ରୋକା ନଗଲେ ଆଗାମୀ ଦିନରେ ରାଜ୍ୟରେ ଏହି ଦ୍ବିତୀୟ ବୃହତ୍ତମ ଜଳଭଣ୍ଡାରରୁ ମତ୍ସ୍ୟ ସମ୍ପଦ ସମ୍ପୂର୍ଣ୍ଣ ଲୋପ ପାଇଯିବେ, ଏଥିରେ ତିଳେ ହେଲେ ବି ସନ୍ଦେହ ନାହିଁ । ତେଣୁ ଦିଗରେ ରାଜ୍ୟର ପ୍ରଦୂଷଣ ବିଭାଗ ବିହିତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।
ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ