ଦେବଗଡ: ଗାଁ ଗାଁରେ ପାନୀୟ ଜଳ ଯୋଗାଣ ପାଇଁ ସରକାରଙ୍କ ନାହିଁ ନଥିବା ଯୋଜନା । କିନ୍ତୁ ଦେବଗଡ ଜିଲ୍ଲାରେ ଫେଲ ମାରିଛି ସରକାରଙ୍କ ବସୁଧା ଯୋଜନା । ଫଳରେ ଜଳକଷ୍ଟରେ ଜର୍ଜରିତ ଛେପଲିପାଲି ପଞ୍ଚାୟତର ଧରଣୀଧର ଗ୍ରାମବାସୀ । ପାଣି ବୁନ୍ଦାଏ ପାଇଁ ଏଠାରେ ଛଟପଟ ଲୋକେ। ଗ୍ରାମରେ ଆଠବର୍ଷ ପୂର୍ବରୁ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିଲେ ସୁଦ୍ଧା, ଏଯାଏଁ ଜଳ ବୁନ୍ଦାଏ ବି ପହଞ୍ଚି ପାରିନି ଗାଁକୁ । ଗ୍ରୀଷ୍ମ ପ୍ରବାହରେ ପାଣି ନପାଇ ଛଟପଟ ଗ୍ରାମର 40 ପରିବାର ।
ଗ୍ରୀଷ୍ମର ପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିବା ବେଳେ ଏଭଳି ସ୍ଥିତିରେ ପାନୀୟ ଜଳ ସଙ୍କଟ ଏହି ଗ୍ରାମବାସୀଙ୍କ ପାଇଁ ବୋଝ ଉପରେ ଲଳିତା ବିଡା ସଦୃଶ ହୋଇଛି । ଧରଣୀଧର ପୁର ଗ୍ରାମରେ ଏବେ ଉତ୍କଟ ସମସ୍ୟା ରୂପେ ଉଭା ହୋଇଛି ପାନୀୟ ଜଳ ସଙ୍କଟ । ଲୋକଙ୍କୁ ପାନୀୟ ଜଳ ଯୋଗାଇଦେବା ପାଇଁ ବହୁବର୍ଷ ପୂର୍ବରୁ ଗାଁରେ ଖୋଳା ହୋଇଥିଲା ଦୁଇଟି ମାତ୍ର ନଳକୂପ । ମାତ୍ର ସେଥି ମଧ୍ୟରୁ ଗୋଟିଏ ନଳକୂପ ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିଥିବା ବେଳେ ଅନ୍ୟ ଗୋଟିଏ ନଳକୂପ ଉପରେ ନିର୍ଭର କରି ଆସୁଛନ୍ତି ଗ୍ରାମର 40 ପରିବାର । ଯାହାକି ଲୋକଙ୍କ ପାନୀୟଜଳ ଆବଶ୍ୟକତାକୁ ମେଣ୍ଟାଇ ପାରୁନି । ଏଥିସହ ନଳକୂପରୁ କାଦୁଅ ମିଶ୍ରିତ ଦୂଷିତ ପାଣି ବାହାରୁ ଥିବାରୁ ତାହା ବ୍ୟବହାର ଉପଯୋଗୀ ହୋଇ ପାରୁନାହିଁ । ଫଳରେ ଲୋକେ ଗ୍ରୀଷ୍ମଋତୁରେ ଜଳ ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି । ଗାଁ ଠାରୁ 2 କିଲୋମିଟର ଦୂରରେ ଥିବା ପାହାଡ଼ି ଝଟଣାରୁ ଜଳ ସଂଗ୍ରହ କରି ଗ୍ରାମବାସୀ ତୃଷା ମେଣ୍ଟାଇ ଆସୁଛନ୍ତି ।
ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଲକ୍ଷ୍ୟରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଗତ ଆଠବର୍ଷ ପୂର୍ବରୁ ଗାଁ ନିକଟସ୍ଥ ରତନପୁର ଠାରେ ନିର୍ମାଣ ହୋଇଥିଲା ବସୁଧା ପାନୀୟ ଜଳ ପ୍ରକଳ୍ପ । ତିରିଶ ହଜାର ଲିଟର କ୍ଷମତା ବିଶିଷ୍ଟ ଏହି ପ୍ରକଳ୍ପରେ ବ୍ୟୟ ହୋଇଛି ପ୍ରାୟ 25 ଲକ୍ଷ ଟଙ୍କା । ମାତ୍ର ସେସବୁ ଯେମିତି ନାମକୁ ମାତ୍ର । ପ୍ରକଳ୍ପ ନିର୍ମାଣ ହୋଇ ଗାଁକୁ ପାଇପ ବିଛା ଯାଇଛି ସିନା ହେଲେ ଏପର୍ଯ୍ୟନ୍ତ ଗାଁକୁ ପାଣି ବୁନ୍ଦାଏ ବି ଆସିପାରିନାହିଁ । ବିଛାଯାଇଥିବା ପାଇପ ସବୁ ମାଟିରେ ପୋତି ହୋଇଗଲାଣି । ବିଭାଗୀୟ କର୍ତ୍ତୃପକ୍ଷ ପ୍ରକଳ୍ପ ନିର୍ମାଣ କରି ଦାୟିତ୍ୱ ସାରିଦେଇ ଚୁପ ହୋଇ ବସି ଯାଇଛନ୍ତି । ସରକାରୀ ରିପୋର୍ଟରେ ପ୍ରକଳ୍ପଟି ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇସାରିଛି । ଲୋକେ ପାଣି ପାଉଛନ୍ତି । ମାତ୍ର ବାସ୍ତବତା ତା ଠାରୁ ସମ୍ପୂର୍ଣ୍ଣ ଭିନ୍ନ ।
ପ୍ରକଳ୍ପଟି ଆରମ୍ଭରୁ ଅଚଳ ହୋଇ ପଡିଛି । ଏହି ଜଳପ୍ରକଳ୍ପଟିକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରି ଲୋକଙ୍କୁ ପାନୀୟଜଳ ଯୋଗାଇଦେବା ପାଇଁ ଆଜକୁ ଦୀର୍ଘ ଆଠବର୍ଷ ହେଲା ସ୍ଥାନୀୟ ସରପଞ୍ଚ ଠାରୁ ଆରମ୍ଭ କରି ବିଡ଼ିଓ ଏବଂ ଜିଲ୍ଲାପାଳ ସମସ୍ତଙ୍କୁ ବାରମ୍ବାର ଜଣାଇ ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁନାହିଁ । ପ୍ରକଳ୍ପଟି ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଦିଗରେ କାହାରି ତିଳେ ହେଲେ ବି ଆନ୍ତରିକତା ନଥିବା ଭଳି ମନେ ହେଉଛି । ଫଳରେ ଧରଣୀଧର ପୁର ଗ୍ରାମବାସୀ ଉତ୍କଟ ପାନୀୟଜଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି ।
ସରକାରଙ୍କ ଜଳ ଜୀବନ ମିଶନରେ ପ୍ରତି ଘରକୁ ଜଳ ଯୋଗାଇ ଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ବିଭିନ୍ନ ପ୍ରକଳ୍ପ ସ୍ଥଳ ଓ ଗ୍ରାମାଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ମାଳମାଳ ସାଇନବୋର୍ଡ ଲଗା ଯାଇଛି । ହେଲେ ଧରଣୀଧର ପୁର ଗ୍ରାମର ପାନୀୟଜଳ ସମସ୍ୟା ଦେଖିଲେ ସରକାରଙ୍କ ଏହି ଯୋଜନା ଯେ କେବଳ ପ୍ରଚାର ସର୍ବସ୍ୱ ଓ ସାଇନବୋର୍ଡ ମଧ୍ୟରେ ସୀମିତ ତାହା ସ୍ପଷ୍ଟ ଅନୁମେୟ ହୋଇଛି।
ଇଟିଭି ଭାରତ, ଦେବଗଡ