ଦେବଗଡ଼: ଜିଲ୍ଲା ଅଗ୍ନିଶମ ବିଭାଗରେ ସିନିୟର ହାବିଲଦାର ଭାବେ କାର୍ଯ୍ୟରତ ସନ୍ତୋଷ ମିର୍ଦ୍ଧାଙ୍କ ଘରେ ଜଣେ ନାବାଳିକା ଚାକରାଣୀ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କୁ ନାନା ନିର୍ଯାତନା ଦିଆଯାଉଥିବା ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ରବିବାର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ନେତୃତ୍ୱରେ ଚାଇଲଡ଼ ଲାଇନର ଏକ ଟିମ ଚଢ଼ାଉ କରିଥିଲା । ଏହି ଚଢାଉ ବେଳେ ଉକ୍ତ ନାବାଳିକାକୁ ଉଦ୍ଧାର କରାଯାଇଛି ।
ନାବାଳିକା ଜଣକ ଦୀର୍ଘ ସମୟ ଧରି ମିର୍ଦ୍ଧାଙ୍କ ଘରେ ଚାକରାଣୀ ଭାବେ କାର୍ଯ୍ୟ କରି ଆସୁଥିଲେ । ତାଙ୍କୁ ନାନା ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିଲା । ଉଦ୍ଧାର କରାଯାଇଥିବା ଏହି ନାବାଳିକା ଜଣକୁ ଶିଶୁ ଗୃହକୁ ପଠାଇ ଦିଆଯାଇଛି । ଏହି ନାବାଳିକା ସପ୍ତମ ଶ୍ରେଣୀରୁ ପାଠ ଛାଡି ଚାକରାଣୀ ଭାବେ କାର୍ଯ୍ୟ କରିଆସୁଥିଲେ । ତାଙ୍କ ଘର ସମ୍ବଲପୁର ଜିଲ୍ଲା ଜମନକିରା ଅଞ୍ଚଳରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତେବେ ତାଙ୍କୁ କିଭଳି ନିର୍ଯାତନା ଦିଆଯାଉଥିଲା ଓ ସେ କିଭଳି ପରିସ୍ଥିତିରେ ଚାକରାଣୀ ଭାବେ କାର୍ଯ୍ୟ କରିଆସୁଥିଲେ ? ସେ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ସୂଚନା ଦେଇଛନ୍ତି ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ