ଦେବଗଡ: ଅବହେଳିତ ଅବସ୍ଥାରେ ପଡିରହିଛି ଜିଲ୍ଲାର ଉଚ୍ଚ ବିଦ୍ୟାଳୟ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲାରେ । ରିଆମାଳ ବ୍ଲକର ଧରମପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧ମରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ 71 ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରି ଆସୁଛନ୍ତି । ତେବେ ଏହି ବିଦ୍ୟାଳୟରେ ପିଲାଙ୍କ ପାଠପଢ଼ା ପାଇଁ ଆବଶ୍ୟକ ଶ୍ରେଣୀଗୃହ ଅଭାବରୁ ସରକାରଙ୍କ ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ଗତ 2009 ମସିହାରେ ପ୍ରାୟ 5 ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ ଦୁଇଗୋଟି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।
ଏନେଇ ବିଦ୍ୟାଳୟର ତତ୍କାଳୀନ ପ୍ରଧାନ ଶିକ୍ଷକଙ୍କ ନାମରେ ଏହାର କାର୍ଯ୍ୟାଦେଶ ଦିଆଯାଇଥିଲା । ମାତ୍ର ପରିତାପର ବିଷୟ ହେଉଛି ସ୍କୁଲର ନିର୍ମାଣ କାର୍ଯ୍ୟାଦେଶକୁ ଦୀର୍ଘ 12 ବର୍ଷ ପୁରିବାକୁ ବସିଥିଲେ ସୁଦ୍ଧା ଶ୍ରେଣୀଗୃହର ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରିନାହିଁ ।
ସେପଟେ ଅସମ୍ପୂର୍ଣ୍ଣ ବିଦ୍ୟାଳୟ କୋଠାଟି ପରିତ୍ୟକ୍ତ ଭାବେ ପଡିରହି ମାଟିରେ ମିଶିବାକୁ ବସିଲାଣି । ତେବେ ଅସୁରକ୍ଷିତ ଅବସ୍ଥାରେ ଥିବା ଏହି କୋଠାଟି କେଉଁ ମୁହୂର୍ତ୍ତରେ ଭାଙ୍ଗି କୌଣସି ଅଘଟଣ ଯେ ନ ଘଟିବ ତାହାକୁ ନେଇ ଏବେ ଅଞ୍ଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି ।
ଦେବଗଡ଼ରୁ ସରୋଜ କୁମାର ଶତପଥି, ଇଟିଭି ଭାରତ