ଦେବଗଡ: ଟଙ୍କା ହଡପ ଅଭିଯୋଗରେ ବନ୍ଧା ହେଲେ ଦେବଗଡ଼ ଜିଲ୍ଲା ମତ୍ସ୍ୟ ବିଭାଗର ପୂର୍ବତନ ବରିଷ୍ଠ କିରାଣୀ ପ୍ରଦୀପ କୁମାର ପାତ୍ର । ମତ୍ସ୍ୟ ବିଭାଗର ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି । ମେ' ମାସ 25 ତାରିଖରେ ପ୍ରଦୀପ କୁମାର ଠକେଇ ଓ ଜାଲିଆତି କରି 13 ଲକ୍ଷ 20 ହଜାର ଟଙ୍କା ଆତ୍ମସାତ କରିଥିବା ନେଇ ଦେବଗଡ଼ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଭାବଗ୍ରାହୀ କିଷାନ । ଉକ୍ତ ଘଟଣାର ତଦନ୍ତ କରି ପ୍ରଦୀପ କୁମାର ପାତ୍ରଙ୍କୁ ପୋଲିସ ସୋମବାର ଗିରଫ କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲା ମତ୍ସ୍ୟ ବିଭାଗର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଦେବଗଡ଼ ଶାଖାରେ ଥିବା ଜମାଖାତାକୁ ବିଭାଗୀୟ ଅଧିକାରୀ ଗତ 2022 ଜୁଲାଇ 1 ତାରିଖ ଯାଞ୍ଚ କରିବା ସମୟରେ 8 ଲକ୍ଷ 86 ହଜାର 780 ଟଙ୍କା ଥିଲା । କିନ୍ତୁ 2023 ମାର୍ଚ୍ଚ 31 ତାରିଖରେ ଯାଞ୍ଚ କରିବାରୁ ମାତ୍ର 7 ହଜାର 131 ଟଙ୍କା ଥିଲା । ଏନେଇ ଜିଲ୍ଲା ମତ୍ସ୍ୟ ଅଧିକାରୀ ବ୍ୟାଙ୍କ୍କୁ ଯାଇ ସରକାରୀ ଜମା ଖାତାର ସମ୍ପୂର୍ଣ୍ଣ ବିବରଣୀ ମାଗିଥିଲେ । ଏହାପରେ ଜାଲ ଦସ୍ତଖତ ମାଧ୍ୟମରେ ଟଙ୍କା ଉଠାଣ ହୋଇଥିବା ଜଣାପଡ଼ିଥିଲା । ପୂର୍ବତନ ମୁଖ୍ୟ କିରାଣୀ ପ୍ରଦୀପ୍ତ କୁମାର ପାତ୍ର ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ନକଲି ଦସ୍ତଖତ କରି ଚେକ୍ ମାଧ୍ୟମରେ 8 ଲକ୍ଷ 79 ହଜାର ଟଙ୍କା ଉଠାଇ ନିଜ ଜମାଖାତାରେ ଜମା କରିଥିବା ସେ ଅଭିଯୋଗ କରିଥିଲେ । ଏହାସହିତ ପ୍ରଦୀପ କୁମାର ପାତ୍ର ମତ୍ସ୍ୟ ପୋଖରୀ ଯୋଜନା, ତାଲିମ, ଲିଜ ଭେଲ୍ସ୍ ଏଣ୍ଡ ରୟାଲିଟି ଆଦି ବାବଦରେ 4 ଲକ୍ଷ 41 ହଜାର ଟଙ୍କା ଆତ୍ମସାତ କରିଥିବା ନେଇ ଜିଲ୍ଲା ମତ୍ସ୍ୟ ଅଧିକାରୀ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଏହା ମଧ୍ୟ ପଢନ୍ତୁ-ପେନସନ ଲୋନ ଆଳରେ ୮କୋଟି ଠକେଇ, ସିଭିଲ ସପ୍ଲାୟ ଇନସ୍ପେକ୍ଟର ସମେତ ୨ ଗିରଫ
ବରିଷ୍ଠ କିରାଣୀ ପ୍ରଦୀପ କୁମାର ଗତ ଜାନୁଆରୀ ମାସରେ କେନ୍ଦୁଝରକୁ ବଦଳି ହୋଇଥିଲେ। ସେ ଏଠାରୁ ବଦଳି ହୋଇଗଲା ପରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ନାମରେ ଥିବା ଚେକ୍ କିପରି ବ୍ୟବହାର କଲେ ଏବଂ ଜାଲ ଦସ୍ତଖତ କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିଲେ ସେନେଇ ଜିଲ୍ଲା ମତ୍ସ୍ୟ ବିଭାଗ କିପରି ଜାଣିପାରିନଥିଲେ ତାହା ବର୍ତ୍ତମାନ ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଜିଲ୍ଲା ମତ୍ସ୍ୟ ବିଭାଗର ଟଙ୍କା ହଡପ ମାମଲା ଏତିକିରେ ସୀମିତ ରହିବ କି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ତନାଘନା ପରେ ଆହୁରି ଅଧିକ ଅର୍ଥ ଆତ୍ମସାତ ହୋଇଥିବା ସାମ୍ନାକୁ ଆସିବ ତାହା ଦେଖିବାକୁ ବାକି ରହିଲା ।
ଅନ୍ୟ ପକ୍ଷରେ ଅଭିଯୁକ୍ତ ପ୍ରଦୀପ୍ତ ଏହି ଘଟଣାକୁ ସ୍ବୀକାର କରିବା ସହ ସେ ଟଙ୍କା ଉଠାଇ ଜିଲ୍ଲା ମତ୍ସ୍ଯ ଅଧିକାରୀ ଙ୍କୁ ସମସ୍ତ ଟଙ୍କା ଦେଇଥିଲେ ବୋଲି କହିଛନ୍ତି । ସେପଟେ ଏହି ଘଟଣା ସମ୍ପର୍କରେ ମୁହଁ ଖୋଲିବାକୁ ଜିଲ୍ଲା ମତ୍ସ୍ୟ ଅଧିକାରୀ ରୋକ୍ଠୋକ୍ ମନା କରି ଦେଇଥିବା ବେଳେ ଘଟଣାରେ ଆହୁରି ଅନେକଙ୍କ ସମ୍ପୃକ୍ତି ନେଇ ସନ୍ଦେହ କରାଯାଉଛି । ପୋଲିସ ପକ୍ଷରୁ ଅଭିଯୁକ୍ତ ପ୍ରଦୀପ୍ତଙ୍କୁ କୋର୍ଟ ଚାଲାଣ କରାଯିବା ସହ ଅଧିକ ତଦନ୍ତ ଜାରି ରହିଛି ।
ଇଟିଭି ଭାରତ, ଦେବଗଡ