ଦେବଗଡ: ନକଲି ମଦ ପ୍ରସ୍ତୁତି ବେଳେ ଅବକାରୀ ବିଭାଗ ଚଢ଼ାଉ । ମଦ ପ୍ରସ୍ତୁତି ସାମଗ୍ରୀ ସହ ଜଣକୁ ଗିରଫ କଲା ପୋଲିସ । ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ କୁଣ୍ଢେଇଗୋଳା ଗାଁ ନିକଟରୁ ବେଆଇନ ବିଦେଶୀ ମଦ ପ୍ରସ୍ତୁତ କରାଯାଉଥିବା ବେଳେ ଚଢାଉ କରାଯାଇ ବିପୁଳ ପରିମାଣର ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରାଯିବା ସହିତ ଏଥିରେ ସମ୍ପୃକ୍ତ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି ।
ଅବକାରୀ ବିଭାଗ ପକ୍ଷରୁ ଶନିବାର ରାତିରେ ଉକ୍ତ ସ୍ଥାନରେ ଚଢଉ କରାଯିବା ସହିତ ନକଲି ବିଦେଶୀ ମଦ କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ବିହାର ରାଜ୍ୟ ଔରଙ୍ଗାବାଦ ଜିଲ୍ଲାର ଦେଓ ଗ୍ରାମର ଶ୍ରବଣ କୁମାର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ସଂପୃକ୍ତ ବ୍ୟକ୍ତିଙ୍କ ପାଖରୁ ୧୦ ଲିଟର ସ୍ପିରିଟ, ବିଭିନ୍ନ କମ୍ପାନୀର ବୋତଲ, ଠିପି, ସରକାରୀ ଲେବୁଲ ଜବତ କରାଯାଇଛି ।
ଅଭିଯୁକ୍ତ ଶ୍ରବଣ କୁମାର ପୂର୍ବରୁ ମଦ ଦୋକାନରେ କାର୍ଯ୍ୟ କରୁଥିବା ବେଳେ ଦୋକାନ ମାଲିକ ତାଙ୍କୁ କାର୍ଯ୍ୟରୁ ବାହାର କରିଦେଇଥିଲେ । ଏହି ଘଟଣାରେ ଅଭିଯୁକ୍ତ ସହ ଆଉ କାହାର ସଂପୃକ୍ତି ଅଛି ସେନେଇ ଅବକାରୀ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି । ଏହି ଚଢଉରେ ରିଆମାଳ ଅବକାରୀ ବିଭାଗର ଓଆଇସି ବାଦଲ ବ୍ରହ୍ମା, ଏଏସଆଇ ପ୍ରହଲ୍ଲାଦ ବେହେରା, ଲୋକନାଥ ବେହେରାଙ୍କ ସମେତ ଅବକାରୀ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ