ଦେବଗଡ: ଜନମାନସରୁ ଲିଭିବାକୁ ବସିଛି ଦେବଗଡ଼ ଜିଲ୍ଲାର ଅନ୍ୟତମ ଐତିହ୍ୟ ସମ୍ପନ୍ନ ପର୍ଯ୍ୟଟନସ୍ଥଳୀ କୁରୁଡ଼କୋଟ ଜଳପ୍ରପାତ । କ୍ରମାଗତ ଭାବେ ପ୍ରଶାସନିକ ଅବହେଳା କାରଣରୁ ବଣମଲ୍ଲି ବଣରେ ଫୁଟି ମଉଳି ଗଲା ଭଳି ମଉଳି ଯାଉଛି ଏହି ପର୍ଯ୍ୟଟନସ୍ଥଳୀର ଗୌରବମୟ ଐତିହ୍ୟ ।
ଦେବଗଡ଼ ସହର ଠାରୁ ଉତ୍ତର-ପଶ୍ଚିମ ଦିଗରେ ପ୍ରାୟ ଏକ କିଲୋମିଟର ଦୂରରେ ଅବସ୍ଥିତ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ କୁରୁଡ଼କୋଟ ଜଳପ୍ରପାତ । ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପାହାଡ଼ ଗୁମ୍ଫାରୁ କୁଳୁକୁଳୁ ନାଦରେ ଭୂପୃଷ୍ଠ ଉପରକୁ ଝରି ଆସୁଥିବା ଝରଣାର ମନୋରମ ଦୃଶ୍ୟ ସହଜେ ଦର୍ଶକ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ତେବେ ଏହା ଯେ କେବଳ ଏକ ଜଳପ୍ରପାତ ତା'ନୁହଁ , ବରଂ ଏହାର ଏକ ଗୌରବମୟ ଐତିହ୍ୟ ରହିଛି । ଏହି ଜଳପ୍ରପାତରୁ ହିଁ ଏସିଆ ମହାଦେଶର ଦ୍ଵିତୀୟ ତଥା ଆମ ରାଜ୍ୟର ସର୍ବପ୍ରଥମ ଜଳ ବିଦ୍ୟୁତ ପ୍ରକଳ୍ପ ( Hydro Electricity Project ) ଆରମ୍ଭ ହୋଇଥିଲା ।
୧୯୧୬ ମସିହାରେ ତତ୍କାଳୀନ ବମଣ୍ଡା ରାଜା ସଚ୍ଚିଦାନନ୍ଦ ତ୍ରିଭୁବନଦେବ ନିଜର ବୈଷୟିକ ଜ୍ଞାନ କୌଶଳ ବଳରେ ଏହି ଜଳପ୍ରପାତର ଜଳକୁ ଆବଦ୍ଧ କରି ନିର୍ମାଣ କରିଥିଲେ ଜଳବିଦ୍ୟୁତ ପ୍ରକଳ୍ପ । ଏହି ପ୍ରକଳ୍ପରୁ ଉତ୍ପାଦିତ ବିଦ୍ୟୁତ ଶକ୍ତିରେ ବାମଣ୍ଡା ରାଜଧାନୀ ତଥା ଦେବଗଡ଼ ସହର ଆଲୋକିତ ହେଉଥିଲା । ମାତ୍ର ରାଜତନ୍ତ୍ରର ବିଲୋପ ପରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଥିଲା ଓ ଏହାର ଭଗ୍ନାବଶେଷ ଆଜି ବି ଏଠାରେ ଦେଖିବାକୁ ମିଳେ ।
ମାତ୍ର ବିଡ଼ମ୍ବନାର ବିଷୟ ଯେ , ରାଜ୍ୟର ଏହି ଐତିହ୍ୟ ସମ୍ପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀର ସୁରକ୍ଷା ଓ ପୁନରୁଦ୍ଧାର ଦିଗରେ ସ୍ଥାନୀୟ ପ୍ରଶାସନ କିମ୍ବା ସରକାର ଏଯାଏଁ କୌଣସି ପଦକ୍ଷେପ ନେଇ ନାହାଁନ୍ତି । ଏହି ପର୍ଯ୍ୟଟନସ୍ଥଳୀଟି ଆଜି ସମସ୍ତଙ୍କ ପାଇଁ ଯେପରି ଅଲୋଡ଼ା ହୋଇ ପଡିଛି । ଗମନାଗମନର ସୁବିଧା ନଥିବାରୁ ଏଠାକୁ ଆଶାନୁରୂପ ପର୍ଯ୍ୟଟକ ଆସିପାରୁ ନାହାଁନ୍ତି । ଏହି ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟକରଣ କିମ୍ବା ସୁରକ୍ଷା ଓ ପୁନରୁଦ୍ଧାର ଦିଗରେ ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କ ପର୍ଯ୍ୟଟନ ବିଭାଗ ଚରମ ଅବହେଳା ପ୍ରଦର୍ଶନ କରି ଆସୁଛି । ଫଳରେ ଏଠାରେ ପର୍ଯ୍ୟଟନର ସମସ୍ତ ଭିତ୍ତିଭୂମି ଥିବା ସତ୍ତ୍ବେ ଏହା ପର୍ଯ୍ୟଟକଙ୍କ ଦୃଷ୍ଟିକୁ ଆସିପାରୁନାହିଁ ।
ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ପର୍ଯ୍ୟଟନସ୍ଥଳୀର ବିକାଶ କରାଗଲେ ଏହା ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନର ଅଧିକାରୀ ହୋଇପାରନ୍ତା , ଏଥିରେ ତିଳେ ହେଲେ ବି ସନ୍ଦେହ ନାହିଁ ।
ଦେବଗଡରୁ ସରୋଜ କୁମାର ଶତପଥୀ, ଇଟିଭି ଭାରତ