ଦେବଗଡ଼: ବାରକୋଟ ଶିବ ମନ୍ଦିର ନିକଟସ୍ଥ ବ୍ରାହ୍ମଣୀ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଯୁବକ ଜଣକ ବାରକୋଟ ବ୍ଲକ କଲଣ୍ଡା ପଞ୍ଚାୟତର କ୍ଷୀରୋଦ ବିହାରୀ ମହାନନ୍ଦ ବୋଲି ଜଣାଯାଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି ।
ସୂଚନା ଅନୁଯାୟୀ, ମୃତ କ୍ଷୀରୋଦ ସବୁଦିନ ଭଳି ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ମାତ୍ର ସେ ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । ଅପରାହ୍ନ ସମୟରେ ବ୍ରାହ୍ମଣୀ ତଟରେ ଗାଈ ଚରାଉଥିବା କେତେକ ଲୋକ ନଦୀରେ ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ ଏବଂ ପୋଲିସକୁ ଖବର ଦେଇଥିଲେ । ବାରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ମୃତକଙ୍କୁ ଚିହ୍ନଟ କରି ପରିବାର ଲୋକଙ୍କୁ ଖବର ଦେଇଥିଲେ । ମୃତଦେହ ବ୍ୟବଚ୍ଛେଦ ପାଇଁ ଅନୁଗୋଳ ଜିଲ୍ଲା ପାଲଲହଡ଼ା ମେଡିକାଲକୁ ପଠାଇ ଦିଆଯାଇଛି ।
ଇଟିଭି ଭାରତ, ଦେବଗଡ଼