ଦେବଗଡ଼: ଛତୁଆ ଯୋଗାଣରେ ଦୁର୍ନୀତି । ନିର୍ଦ୍ଧାରିତ ଓଜନଠାରୁ କମ ଓଜନର ଛତୁଆ ଯୋଗାଣ କରି କିଛି ଅସାଧୁ ବ୍ୟକ୍ତି ପ୍ରଚୁର ଲାଭ କମାଉଛନ୍ତି । ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଡଁରା ପଞ୍ଚାୟତର ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରରେ ଛତୁଆ ଓ ବାଦାମ ଲଡୁ ଯୋଗାଣରେ ଦୁର୍ନୀତି ହୋଇଥିବା ନେଇ ସାଂଘାତିକ ଅଭିଯୋଗ ହୋଇଛି । ଏନେଇ ଡଁରା ସମିତି ସଭ୍ୟା ବବିତା ପ୍ରଧାନ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଭାବେ ଜଣାଇଛନ୍ତି । ଅଭିଯୋଗ ପରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଘଟଣାର ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଗର୍ଭବତୀ ମହିଳା ଓ ଶିଶୁଙ୍କୁ ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ପୃଷ୍ଟିକର ଖାଦ୍ୟ ଯୋଗାଣ ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଦେବଗଡ଼ ଜିଲ୍ଲାରେ କେତେକ ଅସାଧୁ ବ୍ୟକ୍ତି ବିଶେଷଙ୍କ ଲାଭ ଖୋର ମନୋଭାବ ଯୋଗୁଁ ସରକାରଙ୍କ ଯୋଜନାରେ ଦୁର୍ନୀତି ବୃଦ୍ଧି ପାଇବାରେ ଲାଗିଛି । ବାରକୋଟ ବ୍ଲକର ୨୪ଟି ପଞ୍ଚାୟତ ମଧ୍ୟରୁ ୧୬ଟି ପଞ୍ଚାୟତରେ ରହିଥିବା ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ପୁରୁଣାପାଣି ସ୍ଥିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଛତୁଆ ଓ ଲଡୁ ଯୋଗାଇବା ପାଇଁ ଦାୟିତ୍ୱ ଦିଆଯାଇଥିଲା ।
ତେବେ ବାରକୋଟ ବ୍ଲକର ବାସୁପାଲି ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ୪ କେଜି ୪୧୦ ଗ୍ରାମ ଓଜନର ଛତୁଆ ବଦଳରେ ୩ କେଜି ୮୦୦ ଗ୍ରାମ ଛତୁଆ ଏବଂ ୬୦୦ ଗ୍ରାମ ଓଜନର ବାଦାମ ଓ ରାଶି ଲଡୁ ପରିବର୍ତ୍ତେ ୪୦୦ ଗ୍ରାମ ଓଜନର ପ୍ୟାକିଙ୍ଗ ହୋଇ ବିତରଣ କରାଯାଇଥିବା ଅଭିଯୋଗ ହୋଇଛି ।
ଏହା ମଧ୍ୟ ପଢ଼ନ୍ତୁ: ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା : ଶଙ୍ଖା ସିନ୍ଦୁର ଧରି ବସିଲା ପ୍ରେମିକା
ଅନ୍ୟପକ୍ଷରେ ଗର୍ଭବତୀ ମହିଳା ଓ ଶିଶୁଙ୍କ କ୍ଷେତ୍ରରେ କୌଣସି ପ୍ରକାର ଦୁର୍ନୀତିକୁ ପ୍ରସୟ ଦିଆ ଯାଇପାରିବ ନାହିଁ ବୋଲି ସମିତି ସଭ୍ୟା ବବିତା ପ୍ରଧାନଙ୍କ ସମେତ ଗ୍ରାମବାସୀମାନେ ଦାବି କରିଛନ୍ତି । ଜିଲ୍ଲାର ରିଆମାଳ ଓ ତିଳେଇବଣି ବ୍ଲକର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟ ଅନୁରୂପ ଭାବେ ନିମ୍ନମାନର ଛତୁଆ ପ୍ରସ୍ତୁତ କରି ବିତରଣ କରାଯାଉଥିବା ଅଭିଯୋଗ ହୋଇଛି । ଛତୁଆ ପ୍ରସ୍ତୁତକାରୀ ସଂସ୍ଥା ପ୍ରତି ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅହେତୁକ ଅନୁକମ୍ପା ରହିଥିବା ଦୃଷ୍ଟିରୁ ଏହାର ନିୟମିତ ମାନ ଯାଞ୍ଚ କରାଯାଉନଥିବା ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଫଳରେ ସରକାରଙ୍କ ଏହି ଯୋଜନା ଜିଲ୍ଲାରେ ବିପଥଗାମୀ ହେବାକୁ ବସିଛି ।
ଇଟିଭି ଭାରତ, ଦେବଗଡ଼