ଦେବଗଡ: ରେଙ୍ଗାଲି ବହୁମୁଖୀ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ହୋଇଥିବା ପରିବାରକୁ ଦୀର୍ଘ 37 ବର୍ଷ ପରେ ବି ମିଳିନି ସ୍ଥାୟୀ ଜମିପଟ୍ଟା । ଯଦ୍ବାରା ନାହିଁନଥିବା ଅସୁବିଧା ଭୋଗୁଛନ୍ତି 80ଟି ବିସ୍ଥାପିତ ପରିବାର । ପ୍ରଶାସନିକ ଅବହେଳାର ଏଭଳି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ବନାକାଲ ଗାଁରେ ।
![after 37 years no permanent land title has been obtained displaced family](https://etvbharatimages.akamaized.net/etvbharat/prod-images/od-deo-01-rengali-displaced-family-avb-10022_27062020183154_2706f_02450_1005.jpg)
ରେଙ୍ଗାଲି ବହୁମୁଖୀ ନଦୀବନ୍ଧ ଯୋଜନା ଦ୍ବାରା 1983 ମସିହାରୁ ବିସ୍ଥାପିତ ହୋଇ ରିଆମାଳ ବ୍ଲକ ଗୁଣ୍ଡିଆପାଲି ପଞ୍ଚାୟତର ବନାକାଲ ଗାଁରେ ବସବାସ କରୁଛନ୍ତି ପ୍ରାୟ 80 ବିସ୍ଥାପିତ ପରିବାର । ଏହି ପରିବାରକୁ ସରକାର ବନାକାଲ ଗାଁରେ ଥଇଥାନ କରି ସାଢେ ଛଅ ଏକର ଲେଖାଏଁ ଲିଜ ଜମି ଯୋଗାଇ ଦେଇ 'କେ' ଫର୍ମ ପଟ୍ଟା ପ୍ରଦାନ କରିଥିଲେ । ମାତ୍ର ବିଡ଼ମ୍ବନାର ବିଷୟ ଯେ, ଇତିମଧ୍ୟରେ ବିତିଯାଇଛି 37 ବର୍ଷ । ହେଲେ ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କ ଅବହେଳା କାରଣରୁ ଏଯାଏଁ ଏହି ବିସ୍ଥାପିତ ପରିବାରଙ୍କୁ ମିଳିନାହିଁ ସ୍ଥାୟୀ ଜମିପଟ୍ଟା । ଫଳରେ ରେଙ୍ଗାଲି ନଦୀବନ୍ଧ ଯୋଜନାରେ ନିଜ ଭିଟାମାଟି ହରାଇ ବନାକାଲ ଗାଁରେ ଥଇଥାନ ହୋଇଥିବା ଏହି ବିସ୍ଥାପିତ ପରିବାର ଏଯାଏଁ ସେମାନଙ୍କ ଜମି ଚିହ୍ନଟ କରିପାରୁନାହାନ୍ତି ।
ଅନ୍ୟପକ୍ଷରେ ସ୍ଥାୟୀ ଜମିପଟ୍ଟା ନଥିବାରୁ ଏହି ବିସ୍ଥାପିତ ପରିବାର ସରକାରଙ୍କ ସମସ୍ତ ପ୍ରକାର କୃଷି ସହାୟତା ପାଇବାରୁ ବଞ୍ଚିତ ହୋଇ ଆସୁଛନ୍ତି । ବିସ୍ଥାପିତ ପରିବାରଙ୍କୁ ସ୍ଥାୟୀ ଜମିପଟ୍ଟା ଯୋଗାଇ ଦିଆଯିବା ଦିଗରେ ସ୍ଥାନୀୟ ପ୍ରଶାସନର ତିଳେ ହେଲେ ବି ଆନ୍ତରିକତା ପରିଲକ୍ଷିତ ହେଉନଥିବାରୁ ଚାଷ କାର୍ଯ୍ୟ କରି ଜୀବିକା ନିର୍ବାହ କରୁଥିବା ଏହି ବିସ୍ଥାପିତ ପରିବାରଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି । ତେଣୁ ସରକାର ତଥା ଜିଲ୍ଲା ପ୍ରଶାସନ ଏମାନଙ୍କୁ ତୁରନ୍ତ ସ୍ଥାୟୀ ଜମିପଟ୍ଟା ଯୋଗାଇ ଦେବା ଦିଗରେ ବିହିତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
![after 37 years no permanent land title has been obtained displaced family](https://etvbharatimages.akamaized.net/etvbharat/prod-images/od-deo-01-rengali-displaced-family-avb-10022_27062020183154_2706f_02450_829.jpg)
ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ