ଦେବଗଡ:'ସରକାର କା ମାଲ, ଦରିଆ ମେ ଡାଲ' ଏହି ଲୋକପ୍ରିୟ ଉକ୍ତିର ଯଥାର୍ଥତା ପରିଲକ୍ଷିତ ହୋଇଛି ଦେବଗଡ଼ ଜିଲ୍ଲା କଣ୍ଟାବାହାଳ ଗାଁରେ ନିର୍ମିତ 100 ଶଯ୍ୟା ବିଶିଷ୍ଟ ଆଦିବାସୀ ହଷ୍ଟେଲ । ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ହଷ୍ଟେଲ ଦୀର୍ଘ ଦଶବର୍ଷ ହେଲା ବ୍ୟବହାରରେ ନଆସି ଭୂତକୋଠିରେ ପରିଣତ ହୋଇଛି ।
ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର କଣ୍ଟାବାହାଳ ଗାଁରେ ଗତ 2011-12 ମସିହାରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀ ମାନଙ୍କୁ ହଷ୍ଟେଲ ସୁବିଧା ଯୋଗାଇ ଦେଇ ଶିକ୍ଷାର ବିକାଶ କରାଯିବା ଲକ୍ଷ୍ୟରେ ଏକ 100 ଶଯ୍ୟା ବିଶିଷ୍ଟ ଗାର୍ଲସ ହଷ୍ଟେଲ ନିର୍ମାଣ କରାଯାଇଥିଲା । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ନିର୍ମାଣ କରାଯାଇଥିବା ଏହି ହଷ୍ଟେଲ କୋଠାରେ ବ୍ୟୟ ହୋଇଥିଲା ପ୍ରାୟ 50 ଲକ୍ଷ ଟଙ୍କା ।
ମାତ୍ର ପରିତାପର ବିଷୟ ଯେ ଇତି ମଧ୍ୟରେ ଦୀର୍ଘ ଦଶବର୍ଷ ବିତିଯାଇଥିଲେ ସୁଦ୍ଧା ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଯୋଗୁଁ ଏହି ହଷ୍ଟେଲ କୋଠାଟି ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ । ନବନିର୍ମିତ କୋଠାଟି ଦୀର୍ଘବର୍ଷ ହେଲା ପରିତ୍ୟକ୍ତ ଭାବେ ପଡିରହି ଭୂତକୋଠିରେ ପରିଣତ ହେବାକୁ ବସିଛି । ଏଠାରେ ଲାଗିଥିବା ଗୃହ ଉପକରଣ ସବୁ ନଷ୍ଟ ହେବାକୁ ବସିଲାଣି । ଆଖପାଖ ଅଞ୍ଚଳର ଅସାମାଜିକ ତତ୍ତ୍ବ ମାନେ ଏହି କୋଠାକୁ ନିଜ ଆଡ୍ଡାସ୍ଥଳୀ ଭାବେ ବ୍ୟବହାର କରି ଆସୁଛନ୍ତି ।
ସେପଟେ ଏଠାରେ ନାନା ଅନୈତିକ କାର୍ଯ୍ୟ ଚାଲିଥିବା ଅଭିଯୋଗ ହେଉଛି । ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି କୋଠାଟି ଦୀର୍ଘବର୍ଷ ହେଲା ପରିତ୍ୟକ୍ତ ଭାବେ ପଡିରହି ମାଟିରେ ମିଶିଯିବା ପୂର୍ବରୁ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।
ଦେବଗଡରୁ ସରୋଜ ଶତପଥି,ଇଟିଭି ଭାରତ