ନିଆଳି: ଲାଲ ଟମାଟୋର ଲାଲ ଆଖି । ଯେଉଁ ଟମାଟୋ ଏକ ସପ୍ତାହ ତଳେ ୩୦/୪୦ ଟଙ୍କାରେ ବିକ୍ରି ହେଉଥିଲା, ଏବେ ସେଞ୍ଚୁରୀ ପାର କରି ସରିଲାଣି । ଏହା ପୁଣି ରାଜ୍ୟ ବାହାର ଟମାଟୋ । କିନ୍ତୁ ଆମ ଓଡ଼ିଶା ଟମାଟୋ ଚାଷ କରିଥିବା ଚାଷୀ ଶସ୍ତାରେ ଟମାଟୋ ବିକ୍ରି କରି ସାରିଛନ୍ତି । ତେବେ କେବଳ ଟମାଟୋ ନୁହେଁ, ସବୁ ପରିବା ହାପ ସେଞ୍ଚୁରୀ ପାର କରି ସରିଲାଣି । ଏକ ହଜାର ଟଙ୍କାରେ ବି ଖାଉଟିଙ୍କ ବ୍ୟାଗ ପୁରୁନାହିଁ । ବଜାର ଉପରେ ଯୋଗାଣ ବିଭାଗର ନଜର ନଥିବାରୁ ଖାଉଟି ହନ୍ତସନ୍ତ ହେଉଥିବା ଅଭିଯୋଗ । ସେପଟେ ଦରବୃଦ୍ଧି ଯୋଗୁଁ ପରିବା ବଜାର ଯିବାକୁ ଡରୁଛନ୍ତି ଗ୍ରାହକ ।
କଟକ ଜିଲ୍ଲାର ଅଡଶପୁର, ତ୍ରିନାଥ ବଜାର, ବାଲିପଡା, କସର୍ଦ୍ଦା, ସିଠାଳୋ, କାଳିଆ ଘାଈ ଏବଂ ନିଆଳି ଆଦି ବିଭିନ୍ନ ସ୍ଥାନରେ ରହିଛି ସାପ୍ତାହିକ ଏବଂ ନିତି ଦିନିଆ ବଜାର । ସେହିପରି ଖୋର୍ଦ୍ଧା ଜିଲ୍ଲାର ବାଳକାଟି, ବାଲିଅନ୍ତା, ବାଲିପାଟଣା, ଧାନହରା, ବସନ୍ତ ମାଳ ଓ ବନମାଳୀପୁରରେ ରହିଛି ପରିବା ମାର୍କେଟ । ଏହି ସବୁ ବଜାର ଉପରେ ନିର୍ଭର କରିଥାନ୍ତି ସ୍ଥାନୀୟ ଖାଉଟି ଏବଂ ଜିଲ୍ଲା ଓ ଜିଲ୍ଲା ବାହାର ବ୍ୟବସାୟୀ ଓ ଚାଷୀ ନିଜର ପନିପରିବା ବେପାର କରିଥାନ୍ତି । ତେବେ ଗତ କିଛିଦିନ ତଳେ ଯେଉଁ କଞ୍ଚା ପରିବାର କିଲୋ ପିଛା ୨୦/୩୦ ଟଙ୍କା ଦରରେ ବିକ୍ରି ହେଉଥିଲା, ସେଥିରେ ହଠାତ୍ ଦର ବୃଦ୍ଧି ଘଟିଛି । ଫଳରେ କଞ୍ଚା ପରିବାର ଦରବୃଦ୍ଧି ଯୋଗୁଁ ହାଣ୍ତିଶାଳ ପ୍ରଭାବିତ ହୋଇଛି । ଦିନ ମଜୁରିଆ ଠାରୁ ଆରମ୍ଭ କରି ଧନିକ ଶ୍ରେଣୀର ବ୍ୟକ୍ତି ମଧ୍ୟ ପ୍ରଭାବିତ ହୋଇଛନ୍ତି । ନିଆଳି ପରିବା ମାର୍କେଟ ସପ୍ତାହରେ ଦୁଇ ଦିନ ବସେ । ରବିବାର ଓ ଗୁରୁବାର । ଏହି ହାଟ ଉପରେ ଖୋର୍ଦ୍ଧା, ପୁରୀ, କଟକ ଏବଂ ଜଗତସିଂହପୁର ଜିଲ୍ଲାର ଖାଉଟି, ଚାଷୀ ଓ ବ୍ୟବସାୟୀ ନିର୍ଭର କରିଥାନ୍ତି । ଏହି ଅଞ୍ଚଳରୁ ଲୋକଲ କଞ୍ଚା ପରିବାର ଆମଦାନୀ ହେବା ସହ ଅନୁଗୋଳ, ବରଗଡ଼ ଜିଲ୍ଲା ଏବଂ ବାଙ୍ଗାଲୋର ଓ ଆନ୍ଧ୍ରରୁ ମଧ୍ୟ କଞ୍ଚା ପରିବା ଆସିଥାଏ ।
ଏହା ମଧ୍ୟ ପଢ଼ନ୍ତୁ...ବଢୁଛି ଦରଦାମ; ବିଜେଡି-ବିଜେପି ମେଳି ଯୋଗୁଁ ପେଷି ହେଉଛନ୍ତି ଲୋକେ, ଯୋଗାଣ ମନ୍ତ୍ରୀ କହିଲେ ବର୍ଷା ପାଇଁ ବଢିଲା ଟମାଟୋ ଦର
ତେବେ ଏଠାରେ ଏବେ ବାଇଗଣ କିଲୋ ପ୍ରତି ଦର ୬୦/୭୦ ଟଙ୍କା ବିକ୍ରି ହେଉଥିବା ବେଳେ ପୋଟଳ ୬୦, କାଙ୍କଡ଼ ୧୦୦, କଲରା ୭୦, ଝୁଡ଼ଙ୍ଗ ୧୪୦, ଭେଣ୍ଡି ୬୦, ଅମୃତ ଭଣ୍ଡା ୩୦, କଞ୍ଚା ଲଙ୍କା ୧୫୦, ସାରୁ ୪୦, ଦେଶୀ ଆଳୁ ୧୦୦, ଜହ୍ନି ୪୦୦, ସଜନା ଛୁଇଁ ୧୦୦, ଧନିଆ ପତ୍ର କିଲୋ ୨୫୦ ଟଙ୍କା, ଗାଜର ୪୦ ଟଙ୍କା, କ୍ୟାପ୍ସିକମ ୨୦୦ ଟଙ୍କା, କଖାରୁ ୨୦ ଟଙ୍କାରେ ବିକ୍ରି ହେଉଥିବା ବେଳେ କଞ୍ଚା କଦଳୀ ଗୋଟାକୁ ୭ ଟଙ୍କାରେ ବିକ୍ରି ହେଉଛି । ଏଭଳି ଦରବୃଦ୍ଧି ଯୋଗୁଁ ଖାଉଟି ହନ୍ତସନ୍ତ ହେଉଛନ୍ତି । ପରିବା ବ୍ୟବସାୟଙ୍କ କହିବା କଥା, ଖରା ଏବଂ ଲୋକାଲ ପରିବା ଆମଦାନୀ ନଥିବା ଯୋଗୁଁ ଏହି ଦରବୃଦ୍ଧି ହୋଇଛି । ସେହିପରି ଆଳୁ କିଲୋ ୨୦ ଟଙ୍କା ବିକ୍ରି ହେଉଥିବା ବେଳେ ପିଆଜ ୨୦, ଅଦା ୨୫୦ ଏବଂ ରସୁଣ କିଲୋ ପ୍ରତି ୧୦୦ ଟଙ୍କା ଦରରେ ବିକ୍ରି ହେଉଛି । ଏହି ଦରବୃଦ୍ଧି କେତେ ଦିନ ପର୍ଯ୍ୟନ୍ତ ରହିବ, ସେକଥା ବ୍ୟବସାୟୀ ସ୍ପଷ୍ଟ ଭାବରେ କିଛି କହୁ ନାହାନ୍ତି । ତେବେ ପରିବା ଦରବୃଦ୍ଧି ଯୋଗୁଁ ନିଆଳି ବଜାର ଖାଁ ଖାଁ ଲାଗୁଛି ।
ଇଟିଭି ଭାରତ, ନିଆଳି