କଟକ: ନେତାଜୀ ଜନ୍ମସ୍ଥାନରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କଡ଼ା ସୁରକ୍ଷା ବଳୟ ମଧ୍ୟରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ନେତାଜୀ ସଂଗ୍ରହାଳୟ ବୁଲିଛନ୍ତି ଶାହ । ତେବେ ଏହି ଗସ୍ତ ସମୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନେତାଜୀ ସଂଗ୍ରହାଳୟରେ ପହଞ୍ଚିଛନ୍ତି । ଶାହଙ୍କ ଏହି ଗସ୍ତରେ ୩୦ ପ୍ଲାଟୁନ ଫୋର୍ସ ସହ କେନ୍ଦ୍ରୀୟ ସୁରକ୍ଷା ବଳୟ ମଧ୍ୟ ରହିଛନ୍ତି ।
ଦୁଇ ଦିନିଆ ଗସ୍ତରେ ଥିବା ଶାହ ଦୈନିକ ଖବର କାଗଜ ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଛନ୍ତି । କଟକ ଇନଡୋର ଷ୍ଟାଡିୟମରେ ଏହି ସମାରୋହରେ ଯୋଗ ଦେବା ପରେ ଶାହ ଭୁବନେଶ୍ବର ଫେରି ଦଳୀୟ କାର୍ଯ୍ୟାଳୟରେ ନେତା ଓ କର୍ମୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି । ରବିବାର ବିଳମ୍ବିତ ରାତିରେ ଭୁବନେଶ୍ବରରେ ପହଞ୍ଚିଥିଲେ ଅମିତ ଶାହ । ଗୃହମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୨୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଆଜି ସକାଳୁ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି ଶାହ । ଆଜି ଶ୍ରାବଣ ଶେଷ ସୋମବାର ଥିବାରୁ ମନ୍ଦିରରେ କାଉଡିଆଙ୍କ ଭିଡ ରହିଥିଲା । ଏଣୁ ଗୃହମନ୍ତ୍ରୀଙ୍କ ଗସ୍ତର ୧୫ ମିନିଟ ପୂର୍ବରୁ କାଉଡ଼ିଆ ଓ ଅନ୍ୟ ଶ୍ରଦ୍ଧାଳୁଙ୍କ ଉପରେ କଟକଣା ଲାଗିଥିଲା । ପ୍ରଭୁ ଲିଙ୍ଗରାଜଙ୍କୁ ଶାହଙ୍କ ଦର୍ଶନ ସମୟରେ ସୁରକ୍ଷା ଦୃଷ୍ଟିରୁ ମନ୍ଦିର ଭିତରକୁ କାହାକୁ ପ୍ରବେଶ ନଥିଲା । କେବଳ ସେବାୟତ ଉପସ୍ଥିତ ରହିଥିଲେ । ୨୦-୨୫ ମିନିଟ ଯାଏ ଦର୍ଶନ କାର୍ଯ୍ୟକ୍ରମ ରହିଥିଲା । ଦର୍ଶନ ସାରି ରାଜ୍ୟ BJP ସଭାପତି ସମୀର ମହାନ୍ତିଙ୍କ ଘରେ ଜଳଖିଆ କରିଥିଲେ ଶାହ ।
ଇଟିଭି ଭାରତ, କଟକ