କଟକ: ମହଙ୍ଗା ପଡିଲା ହାଇକୋର୍ଟରେ ମିଛ ତଥ୍ୟ ପ୍ରଦାନ କରିବା । ଭୁଲ ତଥ୍ୟ ଦେବା ଘଟଣାରେ କୋର୍ଟ ପରିସରରେ ୨ ଜଣଙ୍କୁ ଗିରଫ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଏହି ମାମଲାରେ ଅନ୍ୟ ୯ ଜଣଙ୍କର ଆଗୁଆ ଜାମିନକୁ ରଦ୍ଦ କରିଦେଇଛନ୍ତି ହାଇକୋର୍ଟ । ଉକ୍ତ ୯ ଜଣଙ୍କୁ ଗିରଫ କରିବାକୁ କୋଣାର୍କ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
କଣ ଥିଲା ପୁରା ମାମଲା- ମାମଲା ବିବରଣୀ ଅନୁଯାୟୀ ଗତ ୨୦୨୧ ମସିହାରେ କୋଣାର୍କରେ ଜୁଡିସିଆଲ କମ୍ପ୍ଲେକ୍ସ ନିର୍ମାଣକୁ ବିରୋଧ କରି କିଛି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହି ମାମଲାକୁ କୋର୍ଟ ବିଚାର କରି ଆବେଦନକାରୀଙ୍କ ଆବେଦନକୁ ଖାରଜ କରିଥିଲେ ହାଇକୋର୍ଟ । ପରବର୍ତ୍ତୀ ସମୟରେ ଆବେଦନ କରି ଏହି ମାମଲାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ମଧ୍ୟ ମାମଲାକୁ ଖାରଜ କରି ଦେଇଥିଲେ । ସବୁଠାରୁ ବଡ଼ କଥା ହେଉଛି ଏହି କମ୍ପ୍ଲେକ୍ସ ପ୍ରକଳ୍ପକୁ ବିରୋଧ କରି କିଛି ଆବେଦନକାରୀ ମଧ୍ୟ ଗଣ୍ଡଗୋଳ କରିଥିଲେ । ଏନେଇ କୋଣାର୍କ ଥାନାରେ ଆବେଦନକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଆବେଦନକାରୀ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
ଅଧିକ ପଢନ୍ତୁ- କଟକରେ ରାସ୍ତାଘାଟ ସମସ୍ୟା ନେଇ କ୍ଷୁବ୍ଧ ହାଇକୋର୍ଟ, ୨୭ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ
ହାଇକୋର୍ଟ ମଧ୍ୟ ସେମାନଙ୍କୁ ଆଗୁଆ ଜାମିନ ପ୍ରଦାନ କରିଥିଲେ । ୨୦୨୩ ମସିହାରେ ଏହି ଆବେଦନକାରୀ ମାନେ ଏହି ପ୍ରକଳ୍ପକୁ ବିରୋଧକରି ପୁନର୍ବାର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ଏହି ମାମଲାକୁ ଖାରଜ କରିଥିବା କଥା ହାଇକୋର୍ଟଙ୍କୁ ଅବଗତ କରିନଥିଲେ । ଆଜି ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବା ସମୟରେ ସତ୍ୟ କଥା ଜାଣିବା ସହ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ କୋର୍ଟ ।
ସେହିପରି ଏହି ମାମଲାରେ କୋର୍ଟରେ ଉପସ୍ଥିତ ଥିବା ୨ ଜଣଙ୍କୁ କୋର୍ଟ ପରିସରରେ ହିଁ ଗିରଫ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାରେ ପୂର୍ବରୁ ମିଳିଥିବା ସମସ୍ତଙ୍କ ଆଗୁଆ ଜାମିନକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ । ଏଥିସହ ଅନ୍ୟ ୯ ଜଣ ଆବେଦନକାରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ କୋଣାର୍କ ଥାନା ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ।
ଇଟିଭି ଭାରତ, କଟକ