କଟକ: କମିଶନର ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପରିବହନ ବିଭାଗରେ ବସିଲା ପ୍ରସ୍ତୁତି ବୈଠକ । ରଥଯାତ୍ରା ସମୟରେ ଟ୍ରାଫିକ ପରିଚାଳନା, ସଡ଼କ ସୁରକ୍ଷା, ପାନୀୟ ଜଳ ଓ ବସ ଗୁଡିକରେ ଫାଷ୍ଟ ଏଡ଼ କିଟ ରଖିବା ପ୍ରସଙ୍ଗରେ ଆଲୋଚନା ହୋଇଛି । ବିଶେଷ କରି ରଥଯାତ୍ରା ସମୟରେ ପୁରୀ ପାଇଁ ନିର୍ଦ୍ଧାରିତ ବସ ଭଡା ବୃଦ୍ଧି ନକରିବା ପାଇଁ ଘରୋଇ ବସ ମାଲିକ ସଂଘକୁ ପରାମର୍ଶ ଦେଇଛନ୍ତି ପରିବହନ କମିଶନର । ଯାତ୍ରୀମାନେ କିଭଳି ଶାନ୍ତିଶୃଙ୍ଖଳାର ସହ ପୁରୀ ଆସି ରଥଯାତ୍ରାରେ ସାମିଲ ହୋଇପାରିବେ, ସେନେଇ ବୈଠକରେ ଆଲୋଚନା ହୋଇଛି ।
ପ୍ରତ୍ୟେକ ବସରେ ରେଟଚାଟ ରହିବ । ତାଲିକା ଅନୁସାରେ କଟକ, ଭୁବନେଶ୍ବର ଓ ତାଳବଣିଆ ବସ ଷ୍ଟାଣ୍ଡରେ ଯାତ୍ରୀମାନଙ୍କ ପାଇଁ ରହିବ ସୂଚନା କେନ୍ଦ୍ର । ଯେଉଁ ବସ ନିୟମ ଉଲଙ୍ଘନ କରିବ ତାହା ଉପରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ବିଶେଷ କରି ଭିନ୍ନକ୍ଷମଙ୍କୁ ଯେପରି ରଥଯାତ୍ରା ଯିବା ସମୟରେ କିଛି ଅସୁବିଧା ନହୁଏ ସେନେଇ ଏହି ବୈଠକରେ ଆଲୋଚନା ହୋଇଛି । ତେବେଏହି ବୈଠକରେ ପରିବହନ କମିଶନର ଅରୁଣ ବୋଥ୍ରାଙ୍କ ସମେତ କଟକ ଭୁବନେଶ୍ବର ଓ ପୁରୀର ପରିବହନ ଅଧିକାରୀ, ରାଜ୍ୟ ଘରୋଇ ବସ ମାଲିକ ସଂଘ ଓ କଟକ ଭୁବନେଶ୍ବର ଓ ପୁରୀ ବସ ମାଲିକ ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ଇଟିଭି ଭାରତ, କଟକ