କଟକ: ଭାସିଗଲା କଟକ ଧବଳେଶ୍ବର ମନ୍ଦିରକୁ ସଂଯୋଗ କରୁଥିବା ଅସ୍ଥାୟୀ ରାସ୍ତା। ମହାନଦୀରେ ପାଣି ବଢ଼ିବାରୁ ଆଜି ସକାଳୁସକାଳୁ ଧବଳେଶ୍ଵରଙ୍କ ପୀଠକୁ ଯୋଗାଯୋଗ ପାଇଁ ପ୍ରଶାସନ ପକ୍ଷରୁ ନଦୀ ଭିତରେ ତିଆରି କରାଯାଇ ଥିବା ଅସ୍ଥାୟୀ ରାସ୍ତାଟି ଧୋଇ ହୋଇ ଯାଇଛି । ଫଳରେ ସାଧାରଣ ଭକ୍ତଙ୍କ ପାଇଁ ମନ୍ଦିରକୁ ଯିବା ବାଟ ବନ୍ଦ ହୋଇ ଯାଇଛି ।
ଝୁ୍ଲା ପୋଲ ଦୁର୍ବଳ ଥିବାରୁ ଅସ୍ଥାୟୀ ରାସ୍ତା ଦେଇ ଧବଳେଶ୍ଵରଙ୍କ ଦର୍ଶନ ପାଇଁ ଯାଉଥିଲେ ଭକ୍ତ । ତେବେ ଧବଳେଶ୍ବର ଅସ୍ଥାୟୀ ରାସ୍ତା ନଦୀପାଣିରେ ଧୋଇଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କଟକ ଜିଲ୍ଲାପାଳ । କହିଛନ୍ତି ନଦୀରେ ପାଣି ବଢି ଥିବାରୁ ରାସ୍ତା ଧୋଇଯାଇଛି । ନୂତନ କଙ୍କ୍ରିଟ ରାସ୍ତା ତିଆରି ହୋଇଛି ସେଥିରେ ବ୍ୟାରିକେଡିଂ କରାଯିବ । ଭକ୍ତମାନେ ସେହି ବାଟ ଦେଇ ଯିବେ । ଝୁଲା ପୋଲ ଏବେ ବନ୍ଦ ରହିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।
ତେବେ ଗୁଜୁରାଟର ମୋର୍ବିରେ ଝୁଲାପୋଲ ଦୁର୍ଘଟଣା ପରେ ଆଠଗଡ ଧବଳେଶ୍ଵରଙ୍କ ପୀଠକୁ ସଂଯୋଗ କରୁଥିବା ଝୁଲା ପୋଲକୁ କାର୍ତ୍ତିକ ମାସ ବଡଓଷାଠାରୁ ଦୁର୍ବଳ ଦର୍ଶାଇ ଝୁଲାପୋଲ ଅଞ୍ଚଳରେ ୧୪୪ ଧାରାଲାଗୁ କରାଯାଇ ବନ୍ଦ କରାଯାଇଛି । କିଛି ଦିନ ବନ୍ଦ ରହିବା ପରେ ଜାନୁଆରୀ ୧୧ ତାରିଖରୁ ବାବା ଧବଳେଶ୍ଵରଙ୍କୁ ଦର୍ଶନ ନିମନ୍ତେ ପ୍ରଶାସନ ପକ୍ଷରୁ ମହାନଦୀ ଗର୍ଭରେ ଏକ ଅସ୍ଥାୟୀ ମାଟି ରାସ୍ତା କରାଯାଇ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ନିମନ୍ତେ ବ୍ୟବସ୍ଥା କରାଯାଇଥିଲା।
ଗତକାଲି ରାତିରେ ମହାନଦୀରେ ପାଣି ଆସିବାରୁ ରାସ୍ତାଟି ଧୋଇ ହୋଇଯାଇଛି ଫଳରେ ଲୋକମାନେ ନିରାଶ ହୋଇ ଫେରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଧବଳେଶ୍ଵରଙ୍କୁ ଦର୍ଶନ ନିମନ୍ତେ ସ୍ଥାୟୀ ପ୍ରତିକାର ଭାବରେ କଂକ୍ରିଟ ପୋଲର କାମ ଶେଷ ପର୍ଯ୍ୟାୟରେ ଥିବାବେଳେ ବ୍ରିଜକୁ ସଂଯୋଗ କରୁଥିବା ଉଭୟ ପଟ୍ଟ ରାସ୍ତା ର କାମ ଚାଲୁ ରହିଛି। ଦୁଇ ରୁ ତିନି ଦିନ ମଧ୍ୟରେ ଏହି କାମ ଶେଷ କରି ବ୍ୟାରିକେଟ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ନିମନ୍ତେ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲପାଳ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଦିନ କେଇଟା ପରେ ଆରମ୍ଭ ହୋଇଯିବ ଶ୍ରାବଣ ମାସ । ଜଳଲାଗି ପାଇଁ ଧବଳେଶ୍ଵରଙ୍କ ପୀଠରେ ଲକ୍ଷାଧିକ କାଉଡ଼ିଆଙ୍କ ସମାଗମ ହେବ । କାଉଡ଼ିଆମାନେ କିଭଳି ଜଳ ଲାଗି କରିବେ ତାହା ଏବେ ଆଶା ଆଶଙ୍କାରେ ରହିଛି ।
ଇଟିଭି ଭାରତ, କଟକ