କଟକ: ଧରାପୃଷ୍ଠରୁ ବାହୁଡିଲେ ଜଗତଜନନୀ ମା' ଦୁର୍ଗା । ଷଷ୍ଠୀଠାରୁ ଆଜି ପର୍ଯ୍ୟନ୍ତ ଲାଇଟ ତୋରଣରେ ଝଲସି ଉଠୁଥିଲା ସିିଲଭରସିଟି। ହେଲେ ଆଜିଠୁ ସହର ପୁରା ଖାଁ ଖାଁ ହୋଇପଡିଛି । ଏହି ଦିନରେ ସମସ୍ତେ ମର୍ମାହତ ଥିଲାବେଳେ ଦେବୀଗଡା ନିକଟରେ ଉଠା ଦୋକାନୀମାନେ ଚାତକ ପରି ଚାହିଁ ରହିଥାନ୍ତି । କାରଣ ମା'ଙ୍କ ଶେଷ ଦର୍ଶନ କରିବା ପାଇଁ ପୁରୀଘାଟ ଥାନା ନିକଟସ୍ଥ ଦେବୀଗଡାଠାରେ ରୁଣ୍ଡ ହୋଇଥିନ୍ତି ହଜାର ହଜାର ଭକ୍ତ । ଏହି ସମୟରେ ଉଠା ବେପାରୀଙ୍କ ବିଭିନ୍ନ ଘରକରଣା ଜିନିଷ ବିକ୍ରି କରି ବେଶ ଲାଭବାନ ହୋଇଥାନ୍ତି ।
ପୁରୀଘାଟଠାରେ ପ୍ରାୟତଃ ଅଷ୍ଟମୀ ଠାରୁ ପଡିଥାଏ ବେପାର ଷ୍ଟଲ । ଘରକରଣା ଜିନିଷ ରଖି ଦେବୀଗଡା ନିକଟରେ ଗ୍ରାହକଙ୍କ ଆଗମନକୁ ଅପେକ୍ଷା କରି ରହିଥାନ୍ତି ବ୍ୟବସାୟୀ । ଅନ୍ଯ ଦିନ ଅପେକ୍ଷା ବିସର୍ଜନ ଦିନ ଅଧିକ ବ୍ୟବସାୟ ହୋଇଥାଏ । ରାଜ୍ୟର କୋଣ ଅନୁକୋଣରୁ ଭକ୍ତମାନେ ଆସି ଏହି ସ୍ଥାନରେ ରହି ମା'ଙ୍କ ବିସର୍ଜନ ଦେଖିବା ସହ ଘରକରଣା ଜିନିଷପତ୍ର ମଧ୍ୟ କିଣି ନେଇଥାନ୍ତି । ଛୁଞ୍ଚିଠାରୁ ଆରମ୍ଭ କରି ଶାବଳ ପର୍ଯ୍ୟନ୍ତ ଏଠାରେ ସମସ୍ତ ଜିନିଷ ଉପଲବ୍ଧ ରହିଥାଏ । ତେବେ ଚଳିତବର୍ଷ ପାଗ ଭଲ ରହିଥିବାରୁ ଅଧିକ ବ୍ୟବସାୟ ହେବା ନେଇ ଆଶା ରଖିଥିଲେ ବ୍ୟବସାୟୀ। ଏହାସହ ବ୍ୟବସାୟୀ କହିଛନ୍ତି, "ଆଜିର ପ୍ଲାଷ୍ଟିକ ଯୁଗରେ ବାଉଁଶ ନିର୍ମିତ ସାମଗ୍ରୀର ଚାହିଦା କମିଛି । ତଥାପି ଦୁର୍ଗାପୂଜାର ଭିଡ ମଧ୍ୟରେ ଅନେକ ଗ୍ରାହକ ଆସି ଜିନିଷ ପତ୍ର କିଣୁଛନ୍ତି ।"
ଏହା ବି ପଢନ୍ତୁ...ଧରାଧାମରୁ ବିଦାୟ ନେଲେ ଜଗତଜନନୀ, ଆରବର୍ଷକୁ ଅପେକ୍ଷା
ଅନ୍ୟପଟେ ଏହି ଉଠା ବଜାରର ବେଶ ମଜାନେଇଥାନ୍ତି ଗ୍ରାହକ। ଘରକରଣା ଜିନିଷ ଠାରୁ ଆରମ୍ଭ କରି ବାହ୍ୟ ବ୍ୟବହାର ଉପଯୋଗୀ ବସ୍ତୁ ମଧ୍ୟ ଏଠାରେ ବିକ୍ରି ହୋଇଥାଏ । ଯାହାକୁ ସେମାନେ ମନ ଖୁସିରେ କିଣିଥାନ୍ତି । ମା'ଙ୍କୁ ମେଲାଣି ବେଳର ଦୃଶ୍ୟ ଦେଖିବାର ସୁଯୋଗ ପାଇବା ସହ ଘର କରଣା ଜିନିଷକୁ ଅଳ୍ପ ଦାମରେ କିଣି ବେଶ ଆନନ୍ଦିତ କଟକବାସୀ। ମା' ଗଲାପରେ ଏହି ଉଠା ଦୋକାନୀମାନେ ନିଜ ବ୍ୟବସାୟର ପସରା ଭାଙ୍ଗି ଫେରି ଯାଇଥାନ୍ତି । ଆସନ୍ତା ବର୍ଷ ମା'ଙ୍କ ଆଗମନକୁ ଭକ୍ତଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ ସମସ୍ତେ ପୁଣି ଅପେକ୍ଷା କରି ରହିଥାନ୍ତି ।
ଇଟିଭି ଭାରତ, କଟକ