କଟକ: ସ୍କୁଲ ଫି' ପ୍ରତ୍ୟାହାର ପ୍ରସଙ୍ଗରେ ହାଇକୋର୍ଟ ଆଜି (ସୋମବାର) ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି । ତେବେ ଟ୍ୟୁସନ ଫି' ଛାଡ ପାଇଁ ରାଜ୍ୟ ସରକାର ସୁପାରିଶ କରିଛନ୍ତି। କୋଭିଡ ପାଇଁ ୭ ଟି ସ୍ଲାବରେ ଫି' ଛାଡ ପାଇଁ ରାଜ୍ୟ ସରକାର, ହାଇକୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି। ଟ୍ୟୁସନ ଫି' ଶୁନ ରୁ ୨୬ % ଛାଡ଼ କରିବାକୁ ସୁପାରିଶ କରାଯାଇଛି।
ସ୍କୁଲ ଫି' ୬ ହଜାର ଯାଏ ନେଉଥିଲେ ଟ୍ୟୁସନ ଫି' ଛାଡ଼ ହେବ ନାହିଁ। ୬୦୦୧ ରୁ ୧୨ ହଜାର ନେଉଥିଲେ ୭.୫% ଫି' ଛାଡ଼ ପାଇଁ ସୁପାରିଶ କରାଯାଇଛି । ୧୨,୦୦୧ ରୁ ୨୪ ହଜାର ନେଉଥିଲେ ୧୨ % ଛାଡ଼ ପାଇଁ ସୁପାରିଶ କରାଯାଇଛି । ୨୪,୦୦୧ ରୁ ୪୮ ହଜାର ନେଉଥିଲେ ୧୫% ଫି' ଛାଡ ହେବ ।
ସେହିପରି ୪୮,୦୦୧ ରୁ ୭୨ ହଜାର ନେଉଥିଲେ ୨୦% ଫି' ଛାଡ କରାଯିବ। ୭୨,୦୦୧ ରୁ ୧ ଲକ୍ଷ ନେଉଥିଲେ ୨୫ ପ୍ରତିଶତ ଛାଡ ହେବ । ବାର୍ଷିକ ୧ ଲକ୍ଷରୁ ଅଧିକ ସ୍କୁଲ ଫି' ନେଉଥିଲେ ୨୬% ଛାଡ ହେବ। ସେହିପରି ୩୦ ପ୍ରତିଶତ ହଷ୍ଟେଲ ଫି' ଛାଡ଼ କରିବାକୁ ମଧ୍ୟ ସୁପାରିଶ କରାଯାଇଛି।
ତେବେ ଯେଉଁ ସ୍କୁଲ ଗତ ୨ ବର୍ଷ ଫି' ବୃଦ୍ଧି କରିନଥିବେ ସେହି ସ୍କୁଲରେ ଟ୍ୟୁସନ ଫି' ଛାଡ କରାଯିବ ନାହିଁ ବୋଲି ରିପୋର୍ଟରେ ସରକାର ଦର୍ଶାଇଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ