କଟକ: ଏସସିବି ସମ୍ପ୍ରସାରଣ ନେଇ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଉଚ୍ଛେଦର ତୃତୀୟ ପର୍ଯ୍ୟାୟରେ ବୁଧବାର ୧୦୦ଟି ପରିବାରକୁ ସ୍ଥାନାନ୍ତରିତ କରିଛି ଜିଲ୍ଲା ପ୍ରଶାସନ। ରାଣୀହାଟରୁ ଯୋବ୍ରାକୁ ସଂଯୋଗ କରୁଥିବା ତାଳଦଣ୍ଡା କେନାଲର କଡରେ ଥିବା ‘ଜୟ ମା ମଙ୍ଗଳା’ ବସ୍ତିକୁ ଉଚ୍ଛେଦ କରାଯାଇ ପ୍ରାୟ ୧୦୦ଟି ପରିବାରକୁ ଜଗତପୁର ସ୍ଥିତ ଅସ୍ଥାୟୀ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି ।
ଗୋଟେ ପଟେ ବଡ ମେଡିକାଲ ସମ୍ପ୍ରସାରଣ କାର୍ଯ୍ୟକ୍ରମକୁ ଅନେକ ଲୋକ ସ୍ବାଗତ କରୁଥିବା ବେଳେ ସହାୟତା ରାଶିକୁ ବୃଦ୍ଧି କରିବା ପାଇଁ ଦାବି କରିଛନ୍ତି ବାସ ହରାଇଥିବା ବସ୍ତି ବାସିନ୍ଦା । ତେବେ ପୂର୍ବ ନିର୍ଦ୍ଧାରିତ ଉଚ୍ଛେଦ ପ୍ରକ୍ରିୟାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମେ ବସ୍ତିବାସିନ୍ଦା ମାନଙ୍କୁ ସେଠାରୁ ଘର ଖାଲି କରାଇଥିଲେ । ପରେ ପରିବହନ ବ୍ୟବସ୍ଥା କରାଯାଇ ତାଙ୍କର ଆସବାପତ୍ରକୁ ଅସ୍ଥାୟୀ କ୍ୟାମ୍ପ ପର୍ଯ୍ୟନ୍ତ ନେଇଥିଲେ । ଖାଲି ହେବା ପରେ ଉକ୍ତ ଘର ଗୁଡିକୁ ଜେସିବି ମେସିନ ସାହାଯ୍ୟରେ ଭଙ୍ଗା ଯାଇଥିଲା । ଅନ୍ୟପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରାୟ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବା ସହ ବରିଷ୍ଠ ପୋଲିସ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଉପସ୍ଥିତ ଥିଲେ ।
କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ