ଭୁବନେଶ୍ବର/କଟକ: ଆଜି ଦଶମ ସଂସ୍କରଣ ରୋଜଗାର ମେଳା ଅଧୀନରେ ନିଯୁକ୍ତି ପତ୍ର ବଣ୍ଟନ ହୋଇଛି । ଦେଶର ବିଭିନ୍ନ ଅନୁଷ୍ଠାନରେ ପ୍ରାୟ ୫୧ ହଜାର ୧୧୬ ଜଣ ନବ ନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ବରରେ ଆୟୋଜିତ ନିଯୁକ୍ତି ମେଳାରେ କେନ୍ଦ୍ର ଶିକ୍ଷା ଓ କୌଶଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ଅନୁଷ୍ଠାନର ୧୭୬ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ଏ ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି,"ଗତ ୯ ବର୍ଷରେ ଦେଶର ଅର୍ଥନୀତିରେ ନୂଆ ବାତାବରଣ ସୃଷ୍ଟି ହୋଇଛି । ରୋଜଗାର ବଢ଼ିଛି, ଦେଶରେ ନିବେଶ ବଢ଼ିଛି ।"
ସେ ଆହୁରି ମଧ୍ୟ କହିଛନ୍ତି, "୨୦୦୪ରୁ ୨୦୧୪ ଭିତରେ ୧୦ ବର୍ଷରେ ଓଡ଼ିଶାରେ ଭାରତ ସରକାର ୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । କିନ୍ତୁ ମୋଦି ସରକାରଙ୍କ ସାଢ଼େ ୯ ବର୍ଷରେ ୧୮ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । ୨୦୧୭-୧୮ ବେଳକୁ ଦେଶର ବେରୋଜଗାରୀ ହାର ୬ ଥିବାବେଳେ ୨୦୨୨-୨୩ ରେ ଏହା ୩.୨ କୁ ଖସିଛି। କାର୍ଯ୍ୟ କରୁଥିବା ଲୋକଙ୍କ ହାର ୫୦%ରୁ ୫୭%କୁ ବଢ଼ିଛି । ଏଭଳି ବିକାଶ ଜରିଆରେ ୨୦୪୭ ସୁଦ୍ଧା ଭାରତ ହେବ ବିକଶିତ ରାଷ୍ଟ୍ର । ଓ୍ୱାର୍କ ଫୋର୍ସକୁ ବଢାଇବା ପାଇଁ ହେଲେ ସମସ୍ତଙ୍କୁ ବିଶେଷ ଭାବରେ ପରିବର୍ତ୍ତିତ ଟେକ୍ନୋଲୋଜି ପ୍ଲାଟଫର୍ମକୁ ଆପଣାଇ ମହିଳାଙ୍କୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍ -ସ୍କିଲିଂ କରାଇବା ପାଇଁ ପଡିବ ।"
ଏହା ବି ପଢନ୍ତୁ...ରୋଜଗାର ମେଳା: ୩୪୨ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ଧର୍ମେନ୍ଦ୍ର ପ୍ରଧାନ
ସେହିପରି କଟକ ରେଲୱେ ଇଣ୍ଡୋର ହଲରେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶର ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୧୧୪ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ସାରା ଦେଶରେ ଆଜି ୫୧ ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଭର୍ଚୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଏହାର ଶୁଭାରମ୍ଭ କରିଥିଲେ। "ପ୍ରଧାନମନ୍ତ୍ରୀଙ୍କ ଯେଉଁ ସଂକଳ୍ପ ଥିଲା ୨୦୨୩ ଡିସେମ୍ବର ସୁଦ୍ଧା ୧୦ ଲକ୍ଷ ଯୋଗ୍ୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯିବ, ସେଥିରୁ ଆଜି ଯାଏ ୮ ଲକ୍ଷ ନିଯୁକ୍ତି ଦିଆଯାଇଛି" ବୋଲି କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ କହିଛନ୍ତି। ତେବେ ଯେଉଁମାନେ ନିଯୁକ୍ତି ପାଉଛନ୍ତି ସେମାନଙ୍କ ମଧ୍ୟରେ ନିଷ୍ଠା ଓ ସ୍ୱଚ୍ଛ ମନଭାବ ନେଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି । ଏହି ନିଯୁକ୍ତି ମେଳାରେ କଟକ ସାଂସଦ ଭର୍ତ୍ତୃହରୀ ମହତବଙ୍କ ସମେତ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ତେବେ ନିଯୁକ୍ତି ପତ୍ର ପାଇ ଖୁସି ପ୍ରକଟ କରିଛନ୍ତି ନବ ନିଯୁକ୍ତ ଯୁବକ ଯୁବତୀ ।
ଇଟିଭି ଭାରତ, ଭୁବନେଶ୍ବର/କଟକ