ନିଆଳି: ଜୁଆଖେଳ ଅଭିଯୋଗରେ ଗିରଫ ଅଭିଯୁକ୍ତ ନିର୍ଦ୍ଦୋଷ ବୋଲି ପରିବାର ବର୍ଗଙ୍କ ଯୁକ୍ତି । ପୋଲିସ ନିର୍ଦ୍ଦୋଷରେ ଆମ ପିଲାମାନଙ୍କୁ ବାନ୍ଧି ନେଇଥିବା ମହିଳାମାନଙ୍କ ଅଭିଯୋଗ । ପୋଲିସର ଏପରି କାର୍ଯ୍ୟାନୁଷ୍ଠାନ ଫଳରେ ଗାଁ ପୁରୁଷ ଶୂନ୍ୟ ହୋଇଯାଉଛି, ଆମେ କ'ଣ ଖାଇବୁ, କେମିତି ଚଳିବୁ ବୋଲି ପ୍ରଶ୍ନ କରିଛନ୍ତି ।
ସୂଚନା ଅନୁଯାୟୀ, ଗତ ୨୧ ତାରିଖରେ ଭୁବନେଶ୍ବର ଉପକଣ୍ଠ ତଥା ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ରାଜସ ପଞ୍ଚାୟତ କୃଷ୍ଣପୁର ଯାତ୍ରାରେ ଜୁଆଖେଳ ଉପରେ ଚଢାଉ ସମୟରେ ପୋଲିସକୁ ନିର୍ଧୂମ ମାଡ଼ ମାରିଥିଲେ ସ୍ଥାନୀୟ ଲୋକେ । ଲୋକଙ୍କ ସଙ୍ଘବଦ୍ଧ ଆକ୍ରମଣରେ ଭୟଭୀତ ହୋଇ ପୋଲିସ କର୍ମଚାରୀ ଗାଡି ଛାଡି ମଧ୍ୟ ପଳାଇଥିଲେ । ଖବର ପାଇ ବାଲିପାଟଣା ପୋଲିସ ପହଞ୍ଚି ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ଗାଡିଗୁଡିକୁ ଉଦ୍ଧାର କରିଥିଲା ।
ଘଟଣା ପର ଠାରୁ ଜୁଆ ଖେଳ ଆୟୋଜନ କରୁଥିବା ୩ ଜଣଙ୍କ ସମେତ ପୋଲିସକୁ ଆକ୍ରମଣ ଘଟଣାରେ ପାଖାପାଖି ୨୭ ରୁ ଊର୍ଦ୍ଧ୍ବ ଅଭିଯୁକ୍ତଙ୍କୁ ବାଲିପାଟଣା ପୋଲିସ୍ ଗିରଫ କରିଛି । କମିସନରେଟ ପୋଲିସ ପକ୍ଷରୁ ଗାଁରେ ବାରମ୍ବାର ଚଢ଼ାଉ ହେଉଛି । ଭୟରେ ଗାଁ ପୁରୁଷ ଶୂନ୍ୟ ହୋଇ ଯାଇଥିବା ମହିଳାମାନେ କହିଛନ୍ତି । ଏଥିସହ ପୋଲିସ ମଧ୍ୟ ପୂର୍ବରୁ ବାନ୍ଧି ନେଇଥିବା ପିଲାମାନେ ନିର୍ଦ୍ଦୋଷ, ସେମାନେ ଜୁଆ ଖେଳିନଥିବା କହିଛନ୍ତି ମହିଳାମାନେ ।
ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ