କଟକ: ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତା କଟକର ସମ୍ଭବ ମିଶ୍ରଙ୍କୁ ସମ୍ବର୍ଦ୍ଧନା । ନିଜ ପଢ଼ୁଥିବା ସ୍କୁଲକୁ ଦେଇଛନ୍ତି ତାଙ୍କର ସଫଳତାର ଶ୍ରେୟ ଦେଇଛନ୍ତି ସମ୍ଭବ । ଗତ 24 ତାରିଖ ଦିନ ନୂଆଦିଲ୍ଲୀରେ ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ଏହି ସମ୍ମାନଜନକ ରାଷ୍ଟ୍ରୀୟ ବାଲ ପୁରସ୍କାର ଗ୍ରହଣ କରିଥିଲେ । କଳା ଓ ସଂସ୍କୃତି ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ଜିତିଛନ୍ତି ସମ୍ଭବ ମିଶ୍ର । ଏଥିରେ ବୀରଗାଥା ପୁରସ୍କାର ବିଜେତା ଦିବ୍ୟାଂଶୀ ଦାସଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି ।
ପୂର୍ବରୁ କେନ୍ଦ୍ର ସରକାରଙ୍କ 6ଟି ବଡ଼ ଯୋଜନାକୁ ନେଇ ସମ୍ଭବ ଏକ ବହି ଲେଖିଥିଲେ । ଯାହାର ନାମ ହେଉଛି ବିଜୟୀ ଭବ ଭାରତ । ଏଥିପାଇଁ ତାଙ୍କୁ ଅନେକ ପ୍ରଶଂସା ଓ ଶୁଭେଚ୍ଛା ପାଇଥିଲେ ମିଳିଥିଲା । ଅନ୍ୟପଟେ ସେହି ସ୍କୁଲର ପଞ୍ଚମ ଶ୍ରେଣୀ ପଢ଼ୁଥିବା ଦିବ୍ୟାଂଶୀ ଦାସଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । 2022 ମସିହାର ବୀରଗାଥା ପ୍ରତିଯୋଗିତାରେ ଦେଶର 25 ଜଣଙ୍କ ମଧ୍ୟରେ ବୀରଗାଥା ପୁରସ୍କାର ପାଇଥିଲେ ଦିବ୍ୟାଂଶୀ । ଗଲବାନ ଘାଟିର ବୀର ବି ସନ୍ତୋଷ ବାବୁଙ୍କ ଚିତ୍ରପଟ ପ୍ରସ୍ତୁତ କରି ସେ ଏହି ସମ୍ମାନର ଅଧିକାରୀ ହୋଇଛନ୍ତି ।
ତେବେ ଏହି ପୁରସ୍କାର ଜିତିବା ପଛରେ ରହିଛି ଅନେକ କଷ୍ଟ ଓ ଧୌର୍ଯ୍ୟ । ଯାହା ଏହି ଦୁଇ ଜଣ କରି ଦେଖାଇଛନ୍ତି । ପଢିବା ସହ ଏପରି କାର୍ଯ୍ୟକୁ ସିଦ୍ଧ କରିବା କାଠିକର ପାଠ । କିନ୍ତୁ ଅସମ୍ଭବ ଲାଗୁଥିଲେ ବି ତାହାକୁ ସମ୍ଭବ କରି ଦେଖାଇଛନ୍ତି ସମ୍ଭବ । ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 11 ଜଣ ପିଲାଙ୍କୁ ଚଳିତ ବର୍ଷର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମ 11 ଅସାଧାରଣ ପିଲାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । କାର୍ଯ୍ୟକ୍ରମରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏବଂ ରାଷ୍ଟ୍ରମନ୍ତ୍ରୀ ମୁଞ୍ଜପାରା ମହେନ୍ଦ୍ରଭାଇ ଉପସ୍ଥିତ ଥିଲେ ।
ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ରାଷ୍ଟ୍ରପତି 11 ଜଣ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି । ସେବା, କ୍ରୀଡା, କଳା, ସଂସ୍କୃତି ଏବଂ ସାହାସିକତା ଭଳି 4ଟି ବର୍ଗରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା 11 ଜଣଙ୍କୁ ମେଡାଲ, ମାନପତ୍ର ସହ 1 ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ଏହି ପୁରସ୍କାର ପାଇଥିବା ପିଲାଙ୍କ ମଧ୍ୟରେ 6 ଜଣ ପୁଅ ରହିଥିବା ବେଳେ 5 ଜଣ ଝିଅ ରହିଥିଲେ । କଳା ଏବଂ ସଂସ୍କୃତି ବର୍ଗରେ 4 ଜଣ, ସାହାସିକତା ପାଇଁ ଜଣେ, ନବସୃଜନ ପାଇଁ 2 ଜଣ, ସାମାଜିକ ସେବା ପାଇଁ ଜଣେ ଏବଂ କ୍ରୀଡା ପାଇଁ 3 ଜଣଙ୍କୁ ପୁରସ୍କାର ମିଳିଛି ।
ଇଟିଭି ଭାରତ, କଟକ