କଟକ: ଜନୈକ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ବଲିଉଡ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ଆଜି କଟକ ମହିଳା ଥାନାରେ ହାଜର ହୋଇଛନ୍ତି । ଥାନାରେ ହାଜର ହେଵା ବେଳେ ସୌରିନ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଅଭିଯୋଗକାରୀ ଯୁବତୀଙ୍କୁ ଚିହ୍ନି ନଥିବା କହିଛନ୍ତି । ସେପଟେ ଜୋନ ୨ ଏସିପିଙ୍କ ତଦନ୍ତ ଅନୁସାରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିବା ବେଳେ ପରସ୍ପର ମଧ୍ୟରେ ଟଙ୍କା ନେଣଦେଣ ମଧ୍ୟ ହୋଇଛି ।
ସୌରିନଙ୍କ ଓକିଲ ଓ ତଦନ୍ତକାରୀ ଏସିପି କହିଛନ୍ତି ଯେ ସୌରିନ ଓ ସମ୍ପୃକ୍ତ ଯୁବତୀଙ୍କ ମଧ୍ୟରେ ବନ୍ଧୁତା ଥିଲା । ଏପରିକି ଉଭୟଙ୍କ ମଧ୍ୟରେ ଟଙ୍କା ଦେଵା ନେବା ମଧ୍ୟ ହେଉଥିଲା ବୋଲି ଏସିପି ସୂଚନା ଦେଇଛନ୍ତି । ସୌରିନଙ୍କ ୧୬୧ଧାରାରେ ଵୟାନ ରେକର୍ଡ ହୋଇଥିବା ବେଳେ ଆଜି ତାଙ୍କର ଡାକ୍ତରୀ ମାଇନା ହେବ ବୋଲି କହିଛନ୍ତି ଏସିପି । ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ସୌରିନ ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ନିଜ ଓକିଲଙ୍କ ସହ ମହିଳା ଥାନାରେ ହାଜର ହୋଇଥିଲେ । ଥାନାରେ ଜୋନ ୨ ଏସିପି ଓ ମହିଳା ଥାନା ଅଧିକାରୀ ପ୍ରାୟ ୨ ଘଣ୍ଟା ଧରି ସୌରିନଙ୍କୁ ଜେରା କରିଥିଲେ।
ଏହା ବି ପଢନ୍ତୁ- Sexual Harassment Allegations: ମହିଳା ଥାନାରେ ହାଜର ହେଲେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ
ଥାନାରେ ହାଜର ହେଵା ପୂର୍ବରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୌରିନ ପୁରା ଅଭିଯୋଗକୁ ଖଣ୍ଡନ କରିଵା ସହ ଅଭିଯୋଗକାରୀ ଯୁବତୀଙ୍କୁ ଚିହ୍ନି ନଥିବା କହିଥିଲେ । ମହିଳା ଥାନାରେ ଜେରା ପରେ କିନ୍ତୁ ସୌରିନଙ୍କ ଓକିଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କିଛି ଭିନ୍ନ ତଥ୍ୟ ରଖିଥିଲେ । ସୌରିନଙ୍କ ଓକିଲ ପ୍ରଦୀପ ପଟ୍ଟନାୟକ ସ୍ପଷ୍ଟ କରିଥିଲେ ଯେ, ଜେରା ବେଳେ ସୌରିନ ସମ୍ପୃକ୍ତ ଯୁବତୀଙ୍କୁ ଜାଣିଥିବା ଓ ସେମାନଙ୍କ ମଧ୍ୟରେ ବନ୍ଧୁତା କଥାକୁ ସ୍ବୀକାର କରିଛନ୍ତି। ଅଭିଯୋଗକାରୀ ଯୁବତୀଙ୍କର ପୂର୍ବରୁ ୧୬୧ଓ ୧୬୪ ଧାରାରେ ଵୟାନ ରେକର୍ଡ କରାଯାଇଛି।
ହାଇକୋର୍ଟ ସୌରିନଙ୍କ ଅନ୍ତରୀଣ ସୁରକ୍ଷା ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରଖିଛନ୍ତି । ଆବଶ୍ୟକ ହେଲେ ସୌରିନଙ୍କୁ ପୁଣି ଥରେ ଜେରା ପାଇଁ ଡକାଯିଵ ବୋଲି ଏସିପି କହିଛନ୍ତି । ସୂଚନା ଥାଉ କି ସୌରିନ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ସୌରିନ ବିବାହ କରିବାକୁ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ଶାରିରୀକ ନିର୍ଯାତନା ସହ ୯ ଲକ୍ଷ ଟଙ୍କା ଠକେଇ କରିଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ । ଏନେଇ ଯୁବତୀ ଜଣକ କଟକ ମହିଳା ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ପରେ ଫେରାର ଥିଲେ କଣ୍ଠଶିଳ୍ପୀ ସୌରିନ ।
ଇଟିଭି ଭାରତ, କଟକ