କଟକ: ଯାଜପୁର ନାବାଳିକା ପିହୁ ନିଖୋଜ ମାମଲାରେ ପିହୁ ମାଙ୍କ ସହ ଆଲୋଚନା କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ। 3 ଦିନ ଭିତରେ ସ୍ଵତନ୍ତ୍ର ଟିମ ଗଠନ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।
ଏହାସହ ଘଟଣାକୁ କ୍ରାଇମବ୍ରାଞ୍ଚ ନିଜେ ମନିଟରିଂ କରିବେ ବୋଲି ଏଡିଜି ପ୍ରତିଶ୍ରୁତି ଦେଇଥିବା ପିହୁର ମା' ମୋନାଲିସା ସାହୁ କହିଛନ୍ତି। 3 ଦିନ ଭିତରେ ଯଦି କିଛି ପଦକ୍ଷେପ ନ ନିଆଯାଏ, ତାହେଲେ ବିଧାନସଭା ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ମୋନାଲିସା।
ସୂଚନାଯୋଗ୍ୟ ଯାଜପୁର ନାବାଳିକା ପିହୁ ନିଖୋଜ ଘଟଣାରେ ଆଜି ନ୍ୟାୟ ପାଇଁ ପିହୁର ମାଆ ଭୁବନେଶ୍ବର ଅଭିମୁଖେ ଯାଉଥିଲେ । ଏହି ସମୟରେ କଟକରେ ଅଟକାଇଥିଲା ଚାଉଳିଗଞ୍ଜ ପୋଲିସ। ବସ ଯୋଗେଁ ପିହୁର ମାଆ ଭୁବନେଶ୍ବର ଅଭିମୁଖେ ଯାଉଥିଲେ । ତେବେ ବସରୁ ଉଠାଇ ଆଣି ପୋଲିସ ଥାନାରେ ଅଟକ ରଖିଥିଲା ।
ଅନେକ ବୁଝାସୁଝା ପରେ ମୋନାଲିସାଙ୍କୁ ପୋଲିସ ମୁଖ୍ୟାଳୟକୁ ନେଇଥିଲା ପୋଲିସ। ସେଠାରେ ସେ ଏଡିଜି କ୍ରାଇମବ୍ରାଞ୍ଚଙ୍କୁ ଭେଟିଥିଲେ । ପ୍ରତିଶୃତି ପରେ ନିଜ ଘରକୁ ଫେରି ଯାଇଛନ୍ତି ମୋନାଲିସା। ଗତବର୍ଷ ଅଗଷ୍ଟ ମାସରେ ପିହୁ ନିଖୋଜ ହୋଇଥିବା ଘଟଣା ୬ ମାସ ବିତିଥିଲେ ବି ପିହୁର କୌଣସି ଖବର ମିଳିନାହିଁ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ