କଟକ: ଆଗକୁ ଆସୁଛି ଐତିହାସିକ ବାଲିଯାତ୍ରା । ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ଲଟ ବୁକିଂ ପ୍ରକ୍ରିୟା । ଚଳିତ ବର୍ଷ ପ୍ଲଟର ଦର ବୃଦ୍ଧି ପାଇଛି । ୧ ହଜାର ବର୍ଗଫୁଟ ପ୍ଲଟ ପାଇଁ ୫୦ ହଜାର ଟଙ୍କା ବୃଦ୍ଧି ପାଇଛି । ଏନେଇ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ତେବେ ନିଲାମ ପ୍ରକ୍ରିୟାକୁ ତୀବ୍ର ବିରୋଧ କରିଛି ବାଲିଯାତ୍ରା ବ୍ୟବସାୟ ମିଳିତ ମଞ୍ଚ । ମଞ୍ଚ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ନିଲାମ ପ୍ରକ୍ରିୟାର ପ୍ରତ୍ୟାହାର ପାଇଁ ଦାବି କରିଛି । ଏହି ପ୍ରକ୍ରିୟାରେ ଜମି ନିଲାମ ହେଲେ ଅନେକ କ୍ଷୁଦ୍ର ଓ ସାଧାରଣ ବ୍ୟବସାୟୀ ବାଲିଯାତ୍ରାରେ ତାଙ୍କ ବ୍ୟବସାୟ କରିବାରୁ ବଞ୍ଚିତ ହେବେ ବୋଲି ମଞ୍ଚ କହିଛି ।
ଐତିହାସିକ ବାଲିଯାତ୍ରା ପାଇଁ ଆରମ୍ଭ ହୋଇଯାଇଛି ଜମି ଆବଣ୍ଟନ କାର୍ଯ୍ୟ । ରେଜିଷ୍ଟ୍ରସନ ପାଇଁ 5 ହଜାର ଟଙ୍କା ରହିଥିଲା ବେଳେ ଜଣେ ବ୍ୟବସାୟୀ ମୋଟ 3ଟି ପ୍ଲଟ କିଣି ପାରିବ ବୋଲି ଚଳିତବର୍ଷ ନିୟମ ରହିଛି । କିନ୍ତୁ ବ୍ୟବସାୟୀଙ୍କ ପାଇଁ ଜିଲ୍ଲା ପ୍ରଶାସନ କରିଥିବା ଏଭଳି ନିୟମକୁ ତୀବ୍ର ବିରୋଧ କରିଛି,ବାଲିଯାତ୍ରା ବ୍ୟବସାୟ ମିଳିତ ମଞ୍ଚ । 2019 ବାଲିଯାତ୍ରା ସମୟରେ ରିଜେଷ୍ଟ୍ରେସନ ଟଙ୍କା ଯେତିକି ରହିଥିଲା ତାହାର ଅନେକ ଗୁଣା ଟଙ୍କା ବୃଦ୍ଧି ହୋଇଥିବାରୁ ଚିନ୍ତାରେ କ୍ଷୁଦ୍ର ବ୍ୟବସାୟୀ । କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ୫୦ ଟଙ୍କା ବର୍ଗଫୁଟ ଦର ରହିଥିବା ବେଳେ ସେମାନେ ୫ ହଜାର ଟଙ୍କା ଦେଇ ପ୍ରଥମେ ପଞ୍ଜିକରଣ କରିବେ ।
ପ୍ରଥମେ ରେଜିଷ୍ଟ୍ରେସନ ଫିକୁ ଆକାଶ ଛୁଆଁ କରିବା ଅନ୍ୟପଟେ ପଞ୍ଜିକରଣ ପ୍ରକ୍ରିୟାକୁ ସାମିଲ କରିବା ଦ୍ବାରା କ୍ଷୁଦ୍ର ବ୍ୟବସାୟୀ ଏହି ପ୍ଲଟ ବୁକିଂ ପ୍ରକ୍ରିୟାରୁ ବଞ୍ଚିତ ରହିବେ । ଏନେଇ ବାଲିଯାତ୍ରା ବ୍ୟବସାୟ ମିଳିତ ମଞ୍ଚ କହିଛି, ପୂର୍ବରୁ ଜମି ବର୍ଗ ଫୁଟ ପିଛା ୨୬ରୁ ୨୭ଟଙ୍କା ମଧ୍ୟରେ ଥିଲା । ଏବେ ଏହାକୁ ୫୦ଟଙ୍କା କରିବା ସହିତ ନିଲାମ କରାଯାଇଛି । ଏଥିରେ ଯେ ଅଧିକ ଟଙ୍କା ଦେବ ସେ ହିଁ ଜମି ପାଇବ । ତେଣୁ ବ୍ୟବସାୟୀଙ୍କ ମଧ୍ୟରେ ଏଭଳି ଅସ୍ବାଭାବିକ ପ୍ରତିଯୋଗିତା ହେବା ଅନୁଚିତ । ତେଣୁ ଏଭଳି ପ୍ଲଟ ବୁକିଂ ପ୍ରକ୍ରିୟାକୁ ଜିଲ୍ଲାପାଳ ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ଦାବି ହୋଇଛି । ଏଥିପାଇଁ ୧୮ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଉଛି । ନଚେତ ଏଥର ବାଲିଯାତ୍ରାରେ ଦୋଳି କି ମୀନାବଜାର ବସିବ ନାହିଁ ବୋଲି କହିଛି ବ୍ୟବସାୟୀ ମିଳିତ ମଞ୍ଚ ।
ଚଳିତବର୍ଷ ନଭେମ୍ବର 8 ରୁ 16 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଐତିହାସିକ ବାଲିଯାତ୍ରା । ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଗ୍ରୀନ ଟ୍ରିବ୍ୟୁନାଲ ନିର୍ଦ୍ଦେଶକ୍ରମେ 34 ଏକର ଜାଗାରେ ଏଥର ବାଲିଯାତ୍ରା ଅନୁଷ୍ଠିତ ହେବ ।
ଇଟିଭି ଭାରତ, କଟକ