କଟକ: ଆଜି କଟକ ବିଦ୍ୟାଧରପୁର ଜାତୀୟ ଧାନ ଗବେଷଣା କେନ୍ଦ୍ରର(NRRI) ପ୍ରତିଷ୍ଠା ଦିବସ । ଏହି ପ୍ରତିଷ୍ଠାନ ଦେଶସେବାରେ 77 ବର୍ଷ ପୂରଣ କରି 78 ବର୍ଷରେ ପଦାର୍ପଣ କରିଛି । ଏହା ଭିତରେ ଏନ.ଆର.ଆର.ଆଇ 160 କିସମର ନୂଆ ଧାନର ଗବେଷଣା ସାରି ଉତ୍ପାଦନ କ୍ଷେତ୍ରରେ ସଫଳତା ପାଇଛି । ଏଥିସହିତ ଏନ.ଆର.ଆର.ଆଇର ବୈଜ୍ଞାନିକମାନେ ଜଳବାୟୁ ପରିବର୍ତ୍ତନ, ଖାଦ୍ୟ ସୁରକ୍ଷା, କୃଷି ସ୍ଥିରତା ଓ ପୁଷ୍ଟିକର ଚାଉଳ ଉତ୍ପାଦନ କ୍ଷେତ୍ରରେ ସଫଳ ଗବେଷଣା କରିଛନ୍ତି ।
ଆଜି ସାରା ଦେଶରେ ଚାଷୀକୂଳ ପବିତ୍ର ପର୍ବ ଅକ୍ଷୟ ତୃତୀୟା ପାଳୁଥିବା ବେଳେ କଟକସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ର ଏହାର 78ତମ ପ୍ରତିଷ୍ଠା ଦିବସ ଓ ଧାନ ଦିବସ ପାଳନ କରିଛି । ଏହି ଅବସରରେ ଆୟୋଜିତ ଉତ୍ସବରେ ବହୁ ଜଣାଶୁଣା ତଥା ଯୁବ ବୈଜ୍ଞାନିକ ଏବଂ ସଫଳ ଚାଷୀ ଯୋଗ ଦେଇ ଏଠାକାର ଗବେଷଣା ଓ ଉତ୍ପାଦନ ଉପରେ ଆଲୋଚନା କରିଛନ୍ତି । ଏହି ଅବସରରେ ଏନ.ଆର.ଆର.ଆଇ ପରିସରରେ ଆୟୋଜିତ ପ୍ରଦର୍ଶନୀରେ ନୂଆ ଧାନ, ଅନ୍ୟ ଚାଷ, କୃଷି ଯନ୍ତ୍ରପାତି ଓ ପୋକ ଚିହ୍ନଟ ଓ ଔଷଧ ବ୍ୟବହାର ସମ୍ପର୍କରେ ପ୍ରଦର୍ଶନ କରାଯାଇଛି । କଟକ ଜାତୀୟ ଧାନ ଗବେଷଣା କେନ୍ଦ୍ର ଗଠନ ହେବା ପରେ ଦେଶରେ ବିଶେଷକରି ରାଜ୍ୟରେ ଯେଉଁଭଳି ଖାଦ୍ୟର ଅଭାବ ଥିଲା ତାହା ଦୂର ହୋଇ ସଂପୂର୍ଣ୍ଣ ସମୟ ଉପଯୋଗୀ ଧାନ ଉତ୍ପାଦନରେ ଏହା ବଡ ସଫଳତା ପାଇଛି ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି ।
ଏହି ପ୍ରତିଷ୍ଠାନ ଇତିମଧ୍ୟରେ 160 କିସମର ନୂଆ ଧାନର ଗବେଷଣା ଓ ଉତ୍ପାଦନ କରିସାରିଛି । ବିଶେଷକରି ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏହା କମ୍ ସମୟ ଓ ଭଲ ଧାନ ସବୁ ସୃଷ୍ଟି କରିଛି । ଏଥିସହିତ ପୃଷ୍ଟିକର ଚାଉଳ, ଖାଦ୍ୟ ସୁରକ୍ଷା, କୃଷି ସ୍ଥିରତା ଓ ନୂତନ ଯନ୍ତ୍ରପାତି ସଂପର୍କରେ ଏହା ଶ୍ରେଷ୍ଠ ପ୍ରଶିକ୍ଷଣ ଦେଇପାରିଛି । ସେହିପରି ନୂଆ ନୂଆ ଚାଷ ଆରମ୍ଭ କରୁଥିବା ଉଦ୍ୟୋଗୀମାନଙ୍କୁ ମଧ୍ୟ ଏନ.ଆର.ଆର.ଆଇ ପ୍ରୋତ୍ସାହନ ଦେଇଛି । 78 ବର୍ଷରେ ପାଦ ଦେଇଥିବା କଟକ ଜାତୀୟ ଧାନ ଗବେଷଣା କେନ୍ଦ୍ର କୃଷି, ପଶୁ ପାଳନ, ମତ୍ସ୍ୟ ଚାଷ ଓ ମିଲଟ୍ ମିଶନକୁ ସାରା ରାଜ୍ୟରେ ପ୍ରସାରିତ କରିବାକୁ ଯୋଜନା କରିଛି । ଯାହା ଆଗାମୀ ଦିନରେ ଓଡ଼ିଶାର ଖାଦ୍ୟ ସଙ୍କଟକୁ ସମ୍ପୂର୍ଣ୍ଣ ଭାବରେ ଦୂର କରିବା ସଙ୍ଗେ ସଙ୍ଗେ ରାଜ୍ୟକୁ ଏକ ସ୍ଵତନ୍ତ୍ରତା ପ୍ରଦାନ କରିବ ବୋଲି କହିଛନ୍ତି ଜାତୀୟ ଧାନ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ।
ଇଟିଭି ଭାରତ, କଟକ