କଟକ: ଆଜିଠୁ ଆରମ୍ଭ ହୋଇଛି ମୋ ୱାର୍ଡ ଅଭିଯାନ। ଏହି ଅଭିଯାନରେ ବସ୍ତିରେ ରାତି ବିତାଇବେ ମେୟର ସୁବାସ ସିଂ । ଦୁଇ ଦିନ କଟକର ବିଭିନ୍ନ ୱାର୍ଡ ର ଲୋକଙ୍କ ସହ ମିଶିବା ସହ ବିଭିନ୍ନ ପ୍ରକାର ବୈଠକ କରିବେ ମେୟର। ଆଜି ଓ କାଲି ଦୁଇ ଦିନ ଲୋକ ମାନଙ୍କ ସମସ୍ୟା ଓ ସମାଧାନ ପାଇଁ ଆଜିଠୁ ଆରମ୍ଭ ହେବ ଏହି ଅଭିଯାନ। ପ୍ରଥମେ ବରିଷ୍ଠ ବ୍ୟକ୍ତିଙ୍କ ସହ ଆଲୋଚନା ଓ ପରେ ପରେ ବସ୍ତିରେ ରାତ୍ରି ଭୋଜନ ଓ ରାତି ଜାପନ ମଧ୍ୟ କରିବେ ମେୟର।
ତେବେ ଏହାପରେ ଆସନ୍ତାକାଲି ସକାଳୁ ବିଡ଼ାନାସି ଅଞ୍ଚଳରେ କମିଶନର ଙ୍କ ସହ ସାନିଟେସନ ଓ ଡ୍ରେନ ସମସ୍ୟା ତଦାରଖ କରିବେ ମେୟର । ସେହିପରି ପରେ 1 ନମ୍ବର ୱାର୍ଡ ରେ ପ୍ରୋଜେକ୍ଟ କାର୍ଯ୍ୟର ତଦାରଖ , ଏହାପରେ ସରକାରୀ ଓ ବେସରକାରୀ ସ୍କୁଲ , ଅଙ୍ଗନବାଡି , ଏସଏସଜି ସେଣ୍ଟର ବୁଲି ଅନେକ ଦିଗ ଉପରେ ହେବ ଆଲୋଚନା। ଏହାସହ ବସ୍ତି ଯୁବକ ମାନଙ୍କ ମଧ୍ୟରେ ଏକ ପରିବର୍ତ୍ତନ ର ଦିଗ ଆଣିବା ପାଇଁ ଏକ ବଡ଼ ବୈଠକ ରେ ଯୋଗ ଦେବେ ମେୟର ଓ କମିଶନର ।
ଶ୍ରମିକ କାର୍ଡ ହୋଲଡ଼ର , ଷ୍ଟ୍ରିଟ ଭେଣ୍ଡର୍ସ ଓ ଅଟୋ ମହାସଙ୍ଘ କୁ ନେଇ ସେମାନଙ୍କ ସମସ୍ୟା ବୁଝିବେ କଟକ ମହାନଗର ନିଗମ ର ମେୟର। ଶେଷରେ ବୟସ୍କ ବ୍ୟକ୍ତି ଙ୍କ ସହ ପ୍ରାତଃ ଭ୍ରମଣ କରି ଲୋକ ମାନେ କିପରି ଆଗମୀ ଦିନରେ ସବୁ ସୁବିଧା ସୁଯୋଗ ପାଇବେ ତାହା ଉପରେ ଧ୍ୟାନ ଦେବେ ମେୟର ସୁବାସ ସିଂ । 1 ନମ୍ବର ୱାର୍ଡ ରୁ ଆରମ୍ଭ ହେବ ଏହି ମୋ ୱାର୍ଡ ପରିକ୍ରମା ଅଭିଯାନ। ଏହି ଦୁଇ ଦିନ ମଧ୍ୟରେ ସବୁ ୱାର୍ଡ ବୁଲିବେ ସିଏମସି ମେୟର ,କମିଶନର ଓ ବିଭାଗୀୟ ଅଧକାରୀ।
ତେବେ ସବୁ ବର୍ଗର ଲୋକ ମାନଙ୍କ ସହ ମିଶିବା ସହ ସ୍ଥାନୀୟ ଅସୁବିଧା ସମ୍ପର୍କରେ ହେବେ ଅବଗତ । ଏଥିସହ ଏହାର ସମାଧାନ କିପରି ଶୀଘ୍ର ହେବ ସେନେଇ ଯୋଜନା କରିବ ସିଏମସି। କଟକ ରେ ଦୀର୍ଘ ଦିନ ଧରି ଅନେକ ସମସ୍ୟା ରହିଛି। ଏହାର ସମାଧାନ ପାଇଁ ସିଏମସି ସର୍ଵଦା ତତ୍ପରତା ଦେଖାଇଛି। କିନ୍ତୁ ୱାର୍ଡ ମଧ୍ୟରେ ଅନେକ ସମସ୍ୟା ଲୁକାୟିତ ଭାବରେ ରହିଛି ତାହା ଏଇ ଦୁଇ ଦିନ ଗସ୍ତ ସମୟରେ ସମାଧାନ କରିବେ ମେୟର।
ତେବେ ଏନେଇ କଟକ ମେୟର ସୁବାସ ସିଂ କହିଛନ୍ତି, "ଆଜିଠୁ ଆରମ୍ଭ କରିଛୁ 'ମୋ ଓ୍ବାର୍ଡ ଅଭିଯାନ'। ଏଥିରେ ଓ୍ବାର୍ଡ ର ସ୍ଥିତି କିପରି ଅଛି ଏନେଇ ସବୁ ଓ୍ବାର୍ଡର ଲୋକଙ୍କ ସହ ସାକ୍ଷାତ କରି ବୁଝିବୁ। ଆଜି 4.30 ରେ ବରିଷ୍ଠ ବ୍ୟକ୍ତିଙ୍କ ସହ ଆଲୋଚନା ଅଛି। ଯାହା ସବୁ ବିକାଶ ଧାରା ଚାଲିଛି ସେମାନଙ୍କ କିପରି ଭାବରେ ସମ୍ପୃକ୍ତି ରହିବ ସେନେଇ ପ୍ରୟାସ କରିବୁ।"
ଇଟିଭି ଭାରତ, କଟକ