କଟକ: ନାବାଳିକା ଅପହରଣ ଓ ଦୁଷ୍କର୍ମକାରୀଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଲେ କଟକ ସ୍ୱତନ୍ତ୍ର ପୋକ୍ସୋ ଅଦାଲତ। ୧୦ ବର୍ଷର ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ଜୋରିମାନା ଅନାଦେୟ ହେଲେ ଆଉ 1 ବର୍ଷ ଅଧିକ ଜେଲଦଣ୍ଡର ନିର୍ଦ୍ଦେଶ ଦେଇଛନ୍ତି ।
ଘଟଣା ଅନୁସାରେ ୨୦୧୩ ଅକ୍ଟୋବର ୩୦ରେ କଟକ ସହରରେ ଘଟିଥିଲା ଏହି ଘଟଣା। କଟକର ନାବାଳିକା ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିଲା ଅନୁଗୁଳ କୋଲିୟାରୀର ସୁରଜ ପ୍ରସାଦ। ନାବାଳିକା ଜଣଙ୍କ ଘଟଣା ଦିନ ସନ୍ଧ୍ୟା ସମୟରେ ନିଜ ସାଙ୍ଗ ଘରକୁ ଯାଇ ଆଉ ଫେରି ନ ଥିଲେ। ବହୁ ଖୋଜାଖୋଜି ପରେ ଅପହରଣକାରୀ ଅପହରଣ କରିଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ଏହାପରେ କଟକ ମହିଳା ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ। ପୋଲିସ ଅଧିକାରୀ ସସ୍ମିତା ଖିଲାର ତଦନ୍ତ କରି ଅପହୃତାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ସୁରଜ ପ୍ରସାଦକୁ ଗିରଫ କରିଥିଲେ ।
ପୋକ୍ସୋ କୋର୍ଟରେ ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ୧୧ ଟି ତଥ୍ୟ ପ୍ରମାଣ ଦାଖଲ ୧୧ ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ। ପୋକ୍ସୋ କୋର୍ଟ ସମସ୍ତ ତଥ୍ୟ ପ୍ରମାଣକୁ ଆଧାର କରି ଭାରତୀୟ ଦଣ୍ଡବିଧି ଆଇନର ୩୬୩ ଧାରାରେ ୩ ବର୍ଷ ସଶ୍ରମ ଜେଲ ଦଣ୍ଡ ସହ ୧୦ ହଜାର ଜୋରିମାନା ଓ ଅନାଦେୟ ଆଉ ଏକ ବର୍ଷ ଜେଲଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ୩୭୬(୨)(I ) ଧାରାରେ ୧୦ ବର୍ଷ ସଶ୍ରମ ଜେଲ ଦଣ୍ଡ ସହ ୧୦ ହଜାର ଜୋରିମାନା ଓ ଅନାଦେୟ ଆଉ ଏକ ବର୍ଷ ଜେଲଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ପୋକ୍ସୋ ଆକ୍ଟ ୨୦୧୨ ର ଧାରା ୬ ଅନୁଯାୟୀ ୧୦ ବର୍ଷ ସଶ୍ରମ ଜେଲ ଦଣ୍ଡ ସହ ୧୦ ହଜାର ଜୋରିମାନା ଓ ଅନାଦେୟ ଆଉ ଏକ ବର୍ଷ ଜେଲଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଦଣ୍ଡ ଏକକାଳୀନ ଚାଲିବ ବୋଲି ପୋକ୍ସୋ କୋର୍ଟ ସ୍ପଷ୍ଟ କରିଛନ୍ତି । କଟକ ମହିଳା ଥାନାର ଅଫିସର ସସ୍ମିତା ଖିଲାର ଏହି ମାମଲାର ତଦନ୍ତ କରୁଥିବାବେଳେ ସରକାରୀ ଓକିଲ ରମେଶ ମହାନ୍ତି ମକଦ୍ଦମା ପରିଚାଳନା କରୁଥିଲେ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ