କଟକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ଆରମ୍ଭ ହୋଇଥିବା "ମୋ ମାଟି ମୋ ଦେଶ" ଅଭିଯାନ କଟକରେ ଆରମ୍ଭ ହୋଇଯାଇଛି । ବିଜେପିର ବରିଷ୍ଠ ନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ଵରେ ଆଜି କଟକ ସହରର ବକ୍ସିବଜାର ବଢ଼େଇ ସାହିରେ ଥିବା ବାସ୍ତରୀ ମଠରୁ ଏହି ମାଟି ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ପ୍ରତ୍ୟକ ଯାଗାରୁ ମାଟି ସଂଗ୍ରହ କରାଯାଇ ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ଅମୃତ ବାଟିକା ତିଆରି କରାଯିବାର ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଦେଶରେ ଶହୀଦ ହୋଇଥିବା ଯବାନଙ୍କ ଜନ୍ମସ୍ଥଳୀରୁ ମାଟି ସଂଗ୍ରହ କରାଯାଉଛି ।
ତେବେ "ମୋ ମାଟି ମୋ ଦେଶ", ଭାରତ ମାଟିର ମହକ, ଗୌରବ ଯୁଗ ଯୁଗର ଉଜ୍ବଳ ଗରିମାକୁ ଆହୁରି ପରିବ୍ୟାପ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଏହି ପ୍ରୟାସ ଆରମ୍ଭ କରାଯାଇଛି । ବର୍ତ୍ତମାନ ଏହି ଯୋଜନା ସମଗ୍ର ଭାରତବାସୀଙ୍କ ମନରେ ଦେଶ ପ୍ରେମର ଉତ୍ସାହ ଭରିଦେଇଛି । ଦେଶର ସମସ୍ତ ରାଜ୍ୟରେ ଏହା ଆରମ୍ଭ କରାଯାଇଛି । ଏହି କ୍ରମରେ ଭାଇଚାର ସହର କଟକ ସହରର ବଢେଇ ସାହି ସ୍ଥିତ ବାସ୍ତରୀ ମଠ ନିକଟରୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ଘରକୁ ଘର ବୁଲି ପବିତ୍ର ମାଟି ସଂଗ୍ରହ କରିଥିଲେ । ଏହି ମାଟିକୁ ସଂଗ୍ରହ କରାଯାଇ ଦିଲ୍ଲୀର ଅମୃତ ବାଟିକାକୁ ନିଆଯିବା ସହ ସେଠାରେ ଶହୀଦଙ୍କ ନାମରେ ସମର୍ପିତ କରାଯିବ ।
ବିଜେପି ନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି "ଆଜାଦି କା ଅମୃତ ମହୋତ୍ସବ ଅବସରରେ ଦିଲ୍ଲୀରେ ଅମୃତ ବାଟିକା ତିଆରି ହେବ । ଯାହାକୁ ସାରା ବିଶ୍ବ ଦେଖିବ । ତେବେ ଯେଉଁ ମହାନ ଆତ୍ମା ଦେଶ ପାଇଁ ନିଜର ବଳିଦାନ ଦେଇଛନ୍ତି ସେମାନଙ୍କୁ ସ୍ମରଣ କରିବାର ଆବଶ୍ୟକତା ଅଛି । ଏଥିପାଇଁ ସାରା ଭାରତ ବର୍ଷରେ ଏହି 'ମୋ ମାଟି ମୋ ଦେଶ' କାର୍ଯ୍ୟକ୍ରମ ଚାଲୁଛି ।" ଏହି କାର୍ଯ୍ୟକ୍ରମରେ ସ୍ମୃତି ପଟ୍ଟନାୟକଙ୍କ ସମେତ ଲକ୍ଷ୍ମୀଧର ପ୍ରଧାନ, ଲିଙ୍ଗରାଜ ପୃଷ୍ଟି ଏବଂ ସ୍ଥାନୀୟ ଜନ ସାଧାରଣଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତୃବୃନ୍ଦ ଅଂଶ ଗ୍ରହଣ କରିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ...ଅନୁଗୋଳରେ ଆରମ୍ଭ ହେଲା 'ମୋ ମାଟି ମୋ ଦେଶ' କାର୍ଯ୍ୟକ୍ରମ
ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୋର୍ଦ୍ଧାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ବରୁଣେଇ ପାଦଦେଶରୁ 'ମୋ ମାଟି ମୋ ଦେଶ' ଅଭିଯାନରେ ମାଟି ସଂଗ୍ରହ କରିଥିଲେ । ସେଠାରେ ଆୟୋଜିତ କର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ବୀର ଶହୀଦଙ୍କ ଫଳକ ଉନ୍ମୋଚନ କରିବା ସହ ବୃକ୍ଷ ରୋପଣ କରିଥିଲେ । ସେହିପରି 6 ଜଣ ବୀର ଶହୀଦ ଯବାନଙ୍କ ପରିବାର ଲୋକଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଇଟିଭି ଭାରତ, କଟକ