କଟକ: ଆରମ୍ଭ ହେଲା ମାଟ୍ରିକ ସମେଟିଭ ୧ ପରୀକ୍ଷା(Matric Summative-1 Exam) । ପରୀକ୍ଷାର୍ଥୀମାନେ ସକାଳ ୯ ରୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିଛନ୍ତି । କେବଳ ଆଡ଼ମିଟ କାର୍ଡ ଏବଂ କଲମ ନେଇ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିଛନ୍ତି ପରୀକ୍ଷାର୍ଥୀ। ତେବେ ପ୍ରଥମ ଦିନରେ ଇଂରାଜୀ ବିଷୟ ଥିବାରୁ ପରୀକ୍ଷାର୍ଥୀମାନେ ନିଜକୁ ପ୍ରସ୍ତୁତ କରିଥିବା କଥା କହିଛନ୍ତି । ଅନ୍ୟପଟେ ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ବେଶ୍ ଗୁରୁତ୍ୱ ବହନ କରୁଥିବା ଏହି ପରୀକ୍ଷା ପରିଚାଳନା ପାଇଁ ପରୀକ୍ଷା କେନ୍ଦ୍ରର କର୍ତ୍ତୃପକ୍ଷମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । କପି ରୋକିବା ପାଇଁ ପରୀକ୍ଷାର୍ଥୀ ମାନଙ୍କୁ ତନ୍ନତନ୍ନ କରି ଯାଞ୍ଚ କରାଯାଇଥିବା କେନ୍ଦ୍ରର କର୍ତ୍ତୃପକ୍ଷ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଇରାନରେ ତେଜୁଛି ହିଜାବ ବିରୋଧୀ ଆନ୍ଦୋଳନ, ସପ୍ତାହକରେ ଗଲାଣି 72 ଜୀବନ
ପରୀକ୍ଷାର 15 ମିନିଟ୍ ପୂର୍ବରୁ ପ୍ରଶ୍ନ ପତ୍ରର ସିଲ ଖୋଲାଯିବା ନେଇ ବୋର୍ଡ଼ ନିର୍ଦ୍ଦେଶ ରହିଛି । ପରୀକ୍ଷାକୁ ଶୃଙ୍ଖଳିତ ଏବଂ କପି ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ବାର୍ଡ ମଧ୍ୟ ଗଠନ କରାଯାଇଛି । ଚଳିତ ବର୍ଷ ୫ ଲକ୍ଷ ୪୦ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ୩୦୨୯ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି । ସେହିପରି ମଧ୍ୟମାରେ ୨୯୧୪ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୧୦୮ଟି କେନ୍ଦ୍ର ଥିବା ବେଳେ ଓପନ ସ୍କୁଲ ସାର୍ଟିଫିକେଟ ପାଇଁ ୭୧୮୧ ଜଣ ପରୀକ୍ଷାର୍ଥୀ ୧୪୬ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି । ୩୧୬ ନୋଡାଲ ସେଣ୍ଟର ଥିବା ବେଳେ ପ୍ରଶ୍ନପତ୍ର କଡ଼ା ସୁରକ୍ଷାରେ ରହିବ ବୋଲି ବୋର୍ଡ଼ ସ୍ପଷ୍ଟ କରିଛି ।
ଅନ୍ୟପଟେ ମାଓ ପ୍ରଭାବିତ ଅଞ୍ଚଳରେ ୨୨ଟି ନୋଡାଲ ସେଣ୍ଟର୍ କରାଯାଇଛି । ଯେଉଁଥିରେ କନ୍ଧମାଳ ୭, ମାଲକାନଗିରି ୧୦, କୋରାପୁଟର ୫ଟି ଥାନା ସାମିଲ ଅଛି । ତେବେ ସ୍କୁଲର ୧୦ କିମି ଭିତରେ ସବୁ ସେଣ୍ଟର କରାଯାଇଛି । ୧୦ ଟାରୁ ପରୀକ୍ଷା ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିବ । କେବଳ ଗଣିତ ପରୀକ୍ଷାରେ ଅଧିକ ୧୫ ମିନିଟ ସମୟ ମିଳିବ । ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍ କେହି ବି ନେଇପାରିବେ ନାହିଁ ବୋର୍ଡ଼ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଛି ।
ଏନେଇ ଜଣେ ପରୀକ୍ଷାର୍ଥୀ କହିଛନ୍ତି, "ଆମର ପ୍ରି ବୋର୍ଡ ପରୀକ୍ଷା ଜଲଦି ହେଉଥିବାରୁ ଆମକୁ ବହୁତ ଖୁସି ଲାଗୁଛି । ବହୁତ ଜଲଦି ବୋର୍ଡ ପରୀକ୍ଷା ହେବ । ଆମେ ନିଜର ୧୦୦ ପ୍ରତିଶତ ଦେବୁ । ପରୀକ୍ଷାର ପ୍ରଥମ ଦିନ ହେତୁ ଟିକେ ନର୍ଭସ ଲାଗୁଛି । କିନ୍ତୁ ପରୀକ୍ଷା ଭଲହେବ ବୋଲି ଆଶା କରୁୁଛୁ ।"
ଇଟିଭି ଭାରତ, କଟକ