ନିଆଳି: ପୂର୍ବ ଶତ୍ରୁତା ଓ ଜମିବାଡି ବିବାଦକୁ ନେଇ କଟକ ଜିଲ୍ଲା ନିଆଳି ଥାନା ଷଢାଂଶ ପଞ୍ଚାୟତ ସରାକୋର ଗାଁରେ ଗୋଷ୍ଠୀ କନ୍ଦଳ ହୋଇଛି । ମାରଣାସ୍ତ୍ରରେ ଆକ୍ରମଣ ଯୋଗୁଁ ପାଞ୍ଚ ଜଣ ଦଳିତ ପରିବାର ସଦସ୍ୟ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଅଭିଯୋଗ କରିଛି ଜାତୀୟ ଦଳିତ ଆଦିବାସୀ ମହାସଂଘ । ଏନେଇ ଥାନାରେ ଦୁଇ ଦିନରେ ଦୁଇଟି ଏତଲା ରୁଜୁ ହୋଇଛି । କିନ୍ତୁ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ ନକରିବା ନେଇ ଜାତୀୟ ଦଳିତ ଆସିବାସୀ ମହାସଂଘ ପକ୍ଷରୁ କଡା ସମାଲୋଚନା କରାଯିବା ସହ ଚେତାବନୀ ଦିଆଯାଇଛି । ଅଭିଯୋଗ ଅଧାରରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆସନ୍ତା ୧୯ ତାରିଖ ଦିନ ନିଆଳି ଥାନା ଘେରାଉ କରିବ ବୋଲି ସାମ୍ବାଦିକ ସମ୍ମିଳନୀ କରି ଚେତାବନୀ ଦେଇଛି ସଂଘ ।
ଜାତୀୟ ଦଳିତ ଆଦିବାସୀ ମହାସଂଘ କହିଛି ଯେ, ସରାକୋର ଗାଁରେ ଯେଉଁଭଳି ଭାବରେ ସବର୍ଣ୍ଣମାନେ ଆକ୍ରମଣ କଲେ ଏହା ନିନ୍ଦନୀୟ । ଏଭଳି ମରଣାନ୍ତକ ଆକ୍ରମଣ ଯୋଗୁଁ ପାଞ୍ଚ ଜଣ ଦଳିତ ପରିବାରର ସଦସ୍ୟ ଗୁରୁତର ଭାବରେ ଆହାତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଯୋଜନାବଦ୍ଧ ଭାବରେ ଆକ୍ରମଣ ଯୋଗୁଁ ଦଳିତ ପରିବାର ଆଜି ସରାକୋର ଗାଁରେ ଭୟଭୀତ ଅବସ୍ଥାରେ ଅଛନ୍ତି । ହାତ ହତିଆର ଧରି ଆକ୍ରମଣ ଯୋଗୁଁ କାହାର ମୁଣ୍ଡ ଫାଠିଛି ତ ଆଉ କାହାର ହାତ ଓ ଗୋଡ ଭାଙ୍ଗିଛି ।
ଏପରିକି ଧାରୁଆ ଅସ୍ତ୍ରରେ ଆକ୍ରମଣ ଯୋଗୁଁ ଜଣଙ୍କ ପେଟରେ ସେହି ଧାରୁଆ ଅସ୍ତ୍ରଟି ରହିଯାଇଥିଲା । କଟକ ବଡ ମେଡିକାଲରେ ଅସ୍ତ୍ରୋପଚାର ଦ୍ବାରା ତାଙ୍କ ପେଟରୁ ଅସ୍ତ୍ର ବାହାରିଥିଲା । ଏ ସମ୍ପର୍କରେ ନିଆଳି ଥାନାରେ ଦୁଇ ଦୁଇଟି ଏତଲା ହୋଇଥିବା ବେଳେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ ନକରିବାରୁ ଜାତୀୟ ଦଳିତ ଆଦିବାସୀ ମହାସଂଘ ସାମ୍ବାଦିକ ସମ୍ମିଳନୀରେ କ୍ଷୋଭ ପ୍ରକାଶ କରିଛି ।
ଏହା ମଧ୍ୟ ପଢନ୍ତୁ...ପୂର୍ବ ଶତ୍ରୁତାରୁ ଗାଁ ପାଲଟିଲା ଋଣକ୍ଷେତ୍ର, 8 ଆହତ
ମିଳିଥିବା ସୂଚନା ଅନୁସାରେ, କଟକ ଜିଲ୍ଲା ନିଆଳି ଥାନା ଷଢାଂଶ ପଞ୍ଚାୟତ ସରାକୋର ଗାଁରେ ଦଳିତ ଓ ଉଚ୍ଚଜାତି ମଧ୍ୟରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଥିଲା । ବହୁ ଲୋକ ଆହତ ବେଳେ ଜଣଙ୍କ ପେଟରେ ଧାରୁଆ ଅସ୍ତ୍ର ରହିଥିବା ଅବସ୍ଥାରେ କଟକ ସ୍ଥାନାନ୍ତରିତ କରାଯାଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଚଳାଛି । ଏ ପର୍ଯ୍ୟନ୍ତ ନିଆଳି ପୋଲିସ ପକ୍ଷରୁ ସରାକୋର ଗୋଷ୍ଠୀ ସଂଘର୍ଷ ଘଟଣାରେ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।
ଇଟିଭି ଭାରତ, ନିଆଳି