କଟକ: କାକଟପୁର ମଙ୍ଗଳା ମନ୍ଦିର ଓ କେନ୍ଦ୍ରାପଡା ବଳଦେବଜୀଉ ମନ୍ଦିର ଖୋଲିବା ଓ ସେବାୟତଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ପ୍ରାର୍ଥନା କରି ଆଗତ ମାମଲାର ଶୁଣାଣି ହାଇକୋର୍ଟରେ ହୋଇଛି । ମନ୍ଦିର ଖୋଲିବା ନେଇ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶକୁ ଭିତ୍ତି କରି ମଙ୍ଗଳା ମନ୍ଦିର ଓ ବଳଦେବଜୀଉ ମନ୍ଦିର ସେବାୟତଙ୍କୁ ଆର୍ଥିକ ସହାୟତା ବ୍ୟବସ୍ଥା କଣ କରାଯାଇଛି, ସେ ସମ୍ପର୍କରେ ସତ୍ୟପାଠ ଦେବାକୁ ଦେବୋତ୍ତର କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଦେବୋତ୍ତର କମିଶନଙ୍କ ପକ୍ଷରୁ ଏହି ସତ୍ୟପାଠ ଆଜି ଅଦାଲତରେ ଦାଖଲ କରାଯିବ ବୋଲି କୁହାଯାଇଛି । ଅନ୍ୟପକ୍ଷରେ ମଙ୍ଗଳା ମନ୍ଦିରର ୧୫୯ ଜଣ ସେବାୟତଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇ ଥିବା ଜଣାପଡିଛି ।
ମଙ୍ଗଳା ମନ୍ଦିର ସେବକ ପ୍ରକାଶ ପଣ୍ଡା ଓ ଅନ୍ୟ ୧୫ ଜଣ ମାମଲା ରୁଜୁ କରିଥିବା ବେଳେ ବଳଦେବଜୀଉ ମନ୍ଦିର ମାମଲା ସୁରେଶ ଚନ୍ଦ୍ର ପତ୍ରି ଓ ଅନ୍ୟ ୪ ଜଣଙ୍କ ପକ୍ଷରୁ ରୁଜୁ କରାଯାଇଛି । ଏକ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ ହୋଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ