କଟକ: ଗତବର୍ଷ ତୁଳନାରେ ଏସସିବି ମେଡିକାଲରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କମିଛି । ଚଳିତ ବର୍ଷ 199 ଜଣ ଡେଙ୍ଗୁରୋଗୀ ଏସସିବିରେ ଚିକିତ୍ସିତ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଚଳିତବର୍ଷ ଏସସିବିରେ ଏପର୍ଯ୍ୟନ୍ତ 4 ହଜାର 5 ଶହ 2ଜଣଙ୍କର ରକ୍ତନମୁନା ପରୀକ୍ଷା କରାଯାଇଥିବାବେଳେ 293 ଟି ରକ୍ତ ନମୁନା ପଜେଟିଭ ବାହାରିଛି । ଏହା ପ୍ରକାଶ କରିଛନ୍ତି ଡେଙ୍ଗୁ ବିଭାଗର ନୋଡାଲ ଅଫିସର ଡାକ୍ତର ପ୍ରସାଦ ମହାନ୍ତି ।
ଏସସିବି ଡେଙ୍ଗୁ ୱାର୍ଡରେ ଆଜି 20 ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଆଇସିୟୁରେ 6 ଜଣ ଗୁରୁତର ଭାବେ ଚିକିତ୍ସିତ ହେଉଛନ୍ତି । ସେହିଭଳି ଚଳିତ ବର୍ଷ କଟକ ଜିଲ୍ଲାରୁ ସର୍ବାଧିକ 65 ଜଣ ଡେଙ୍ଗୁ ରୋଗୀ ଏସସିବି ଆସିଥିବାବେଳେ, ଭଦ୍ରକରୁ 49ଜଣ, ବାଲେଶ୍ଵରରୁ 33 ଜଣ, ଯାଜପୁରରୁ 44 ଜଣ ଓ କେନ୍ଦ୍ରାପଡ଼ାରୁ 36 ଜଣ ଡେଙ୍ଗୁରୋଗୀ ୱାର୍ଡକୁ ଆସିଛନ୍ତି । କଟକର ଜଗତପୁର, ମୁଣ୍ଡୁଳି, ଚୌଦ୍ବାର, ମଙ୍ଗୁଳି, ମାହାଙ୍ଗା ଆଦି ଅଞ୍ଚଳରେ ଅଧିକ ଡେଙ୍ଗୁ ରୋଗୀ ଦେଖିବାକୁ ମିଳିଛି । ତେବେ ଗତ ବର୍ଷ ଅପେକ୍ଷା ଚଳିତବର୍ଷ ଡେଙ୍ଗୁ ରୋଗୀ ଙ୍କ ସଂଖ୍ୟା କମ ରହିଛି ବୋଲି ଡାକ୍ତର ପ୍ରସାଦ ମହାନ୍ତି କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ