କଟକ: ଏସସିବିରେ ଭର୍ତ୍ତିହେଲେ ଚୀନ ଫେରନ୍ତା ଡାକ୍ତରୀ ଛାତ୍ର । ଫୁଲବାଣୀ ସହରର ତାରିଣୀ ପ୍ରସାଦ ମୁନିଙ୍କ ପୁଅ ମୃତ୍ୟୁଞ୍ଜୟ ମୁନି । କୋରୋନା ଭାଇରସ ସଂକ୍ରମଣ ସନ୍ଦେହରେ ସେ ଆଜି (ଶନିବାର) ଭୋର ସମୟରେ ଏସସିବିରେ ପହଞ୍ଚି ଚିକିତ୍ସିତ ହେଉଛନ୍ତି । ମୃତ୍ୟୁଞ୍ଜୟ ଚୀନର ସିଚୁଆନସ୍ଥିତ ସାଉଥ ୱେଷ୍ଟ ମେଡ଼ିକାଲ ୟୁନିଭରସିଟିରେ ଏମବିବିଏସ କରୁଥିଲେ ।
ସେ ଗତ ଜାନୁଆରୀ ୧୧ ତାରିଖରେ ଫୁଲବାଣୀ ଫେରିଥିଲେ । ପ୍ରାୟ ଏକ ସପ୍ତାହ ହେଲା ତାଙ୍କୁ ସର୍ଦି ଓ କାଶ ହେବାରୁ ସେ ଔଷଧ ଖାଇଥିଲେ। କିନ୍ତୁ କାଶ ଓ ସର୍ଦି ଭଲ ନହେବା ଏବଂ ସେ ଚୀନରୁ ଫେରିଥିବାରୁ ତାଙ୍କୁ କୋରୋନା ଭାଇରସ ସଂକ୍ରମଣ ହୋଇଥିବା ସନ୍ଦେହ କରି ଶୁକ୍ରବାର ସେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପରୀକ୍ଷା ପାଇଁ ଯାଇଥିଲେ।
ସେଠାରେ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଭେଟି ଲିଖିତ ଭାବେ ଜଣାଇବା ସହ ତାଙ୍କର ପରୀକ୍ଷା ନିରୀକ୍ଷା ପାଇଁ ନିବେଦନ କରିଥିଲେ । ସେଠାରେ କୋରୋନା ଭାଇରସ ପରୀକ୍ଷାର କୌଣସି ପ୍ରକାର ସୁବିଧା ନଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା ।
ଶନିବାର ଭୋର ୩ଟା ସମୟରେ ସେ ଏସସିବି କୋରୋନା ୱାର୍ଡରେ ପହଞ୍ଚିଥିଲେ ମୃତୁଞ୍ଜୟ ଓ ତାଙ୍କ ପରିବାର ଲୋକ। ତେବେ ଏସସିବିରେ ସ୍ବତନ୍ତ୍ର ଭାବେ ଖୋଲାଯାଇଥିବା କୋରୋନା ୱାର୍ଡରେ ତାଙ୍କର ଏବେ ଚିକିତ୍ସା ଚାଲିଛି। ତାଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇ ଯାଞ୍ଚ ପାଇଁ ପଠାଯିବ ବୋଲି ଏସସିବି ପକ୍ଷରୁ ସୂଚନା ମିଳିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ