କଟକ: ଭିଜିଲାନ୍ସ ମାମଲାରେ ପୂର୍ବତନ ଭିଏଏସଙ୍କୁ ଜେଲ ଦଣ୍ଡ ସହ ଜୋରିମାନା ଦେବାକୁ ଦଣ୍ଡାଦେଶ ଶୁଣାଯାଇଛି । ନଅ ବର୍ଷ ତଳେ ଏକ ଲାଞ୍ଚ ନେବା ଅପରାଧରେ ପୂର୍ବତନ ଭିଏଏସ ସଞ୍ଜୟ କୁମାର ବେହେରାଙ୍କୁ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି କଟକ ଅତିରିକ୍ତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ।

ଅଭିଯୁକ୍ତ ସଞ୍ଜୟଙ୍କୁ ଦୁର୍ନୀତି ନିବାରଣ ଆଇନର ଧାରା 13(2) ଓ 13(1)(ଡି)ରେ 2 ବର୍ଷ ଜେଲ ଏବଂ ଧାରା 7ରେ ଏକ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ଏହା ସହିତ ଜୋରିମାନା ବାବଦକୁ 5 ହଜାର ଟଙ୍କା ଆଦାୟ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଜୋରିମାନା ଅର୍ଥ ଅନାଦେୟ ହେଲେ ଆହୁରି 2 ବର୍ଷ ଅଧିକ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି । ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ରାକେଶ ସାହୁ ଉକ୍ତ ମାମଲାର ପରିଚାଳନା କରୁଥିଲେ ।


ସୂଚନାନୁସାରେ, 2011ରେ ଦୁଗ୍ଧ ସମବାୟ ସମିତି ସମ୍ପାଦକଙ୍କ ଠାରୁ 2400ଟଙ୍କା ଲାଞ୍ଚ ନେଉଥିଲେ ଭିଏଏସ ସଞ୍ଜୟ ବେହେରା । ସିଡିପିଓଙ୍କ ନିକଟକୁ ହିତାଧିକାରୀଙ୍କ ଦରଖାସ୍ତ ପଠାଇବା ପାଇଁ ସେ ଏହି ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଟିମ ଦ୍ବାରା ଧରା ପଡ଼ିଥିଲେ । ତେବେ ଭିଜିଲାନ୍ସ ଲାଞ୍ଚ ଟଙ୍କା ପାଇବା ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ