କଟକ: ଦିନକୁ ଦିନ ବଢ଼ିବାରେ ଲାଗିଛି ଅନ୍ତଃରାଜ୍ୟ ଗଞ୍ଜେଇ କାରବାର । ଅବକାରୀ ବିଭାଗ ଆଖିରେ ଧୂଳି ପକାଇ ବେଧଡକ ଗଞ୍ଜେଇ କାରବାର ଚାଲିଛି । ଟାଙ୍ଗୀ ସ୍ଥିତ ଡ୍ରିମସ କଲେଜ ଛକରୁ ତିନି କ୍ଵିଣ୍ଟାଲ ଗଞ୍ଜେଇ ଜବତ କଲା କଟକ ଷ୍ଟେଟ ଫ୍ଲାଇଙ୍ଗ ସ୍କ୍ବାର୍ଡ । ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହୋଇଥିବା ଜଣାପଡ଼ିଛି ।
ଜବତ ଚୋରା ଗଞେଇ କନ୍ଧମାଳରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଫ୍ଲାଇଙ୍ଗ ସ୍କ୍ବାର୍ଡର ଟିମ ପକ୍ଷରୁ ଚଢ଼ାଉ କରି ଜବତ କରାଯାଇଛି । ଏହି ଘଟଣାରେ ୬ ଜଣ ଗିରଫ ହୋଇଥିବା ସୂଚନା ରହିଛି । ଗିରଫ ୬ ଜଣଙ୍କ ମଧ୍ୟରୁ ୪ ଜଣ ପଶ୍ଚିମବଙ୍ଗର ହୋଇଥିବା ବେଳେ ୨ ଜଣ କନ୍ଧମାଳର ଅଛନ୍ତି । ଚଢ଼ାଉ ବେଳେ ଗୋଟିଏ ଟାଟା ଏସି ଓ ଗୋଟିଏ ଦାମୀ କାର ମଧ୍ୟ ଜବତ କରାଯାଇଛି। ଅନ୍ୟପଟେ ଅବକାରୀ କମିଶନର ଆଶିଷ ସିଂ ନିର୍ଦ୍ଦେଶକ୍ରମେ ଗଞ୍ଜେଇ ଚାଲାଣ ଉପରେ ତୀକ୍ଷଣ ନଜର ରଖାଯାଇଛି ବୋଲି କଟକ ଷ୍ଟେଟ ଫ୍ଲାଇଙ୍ଗ ସ୍କ୍ବାର୍ଡ ଅଧିକ୍ଷକ ଦେବାଶିଷ ପଟେଲ ସୂଚନା ଦେଇଛନ୍ତି।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ