କଟକ: କୋଭିଡ୍ ଟିକା ଅନୁସାରେ ସଠିକ୍ ପ୍ରମାଣପତ୍ର ମିଳି ନଥିବା ନେଇ ହାଇକୋର୍ଟରେ ଏକ ମାମଲା ଦାୟର ହୋଇଥିଲା । ଶୁକ୍ରବାର ଏହାର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରିଛନ୍ତି କୋର୍ଟ । ଆବେଦନକାରୀ ନରେନ୍ଦ୍ର କୁମାର ଦାସଙ୍କ ପକ୍ଷରୁ ଦାୟର ଏହି ମାମଲାର ଶୁଣାଣି କରି ହାଇକୋର୍ଟ ବିଚାରପତି ଜଷ୍ଟିସ ବିଶ୍ଵନାଥ ରଥ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିବା ସହ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାରୁ ଜଣାପଡ଼ିଛି ଯେ, ଆବେଦନକାରୀ ଏକ ଘରୋଇ ହସ୍ପିଟାଲରେ କୋଭିଡ଼ ଟିକାର ଦୁଇଟି ଡୋଜ୍ ନେଇଥିଲେ । ହେଲେ ପ୍ରମାଣପତ୍ରରେ ଟିକା ନେଇଥିବା ସ୍ଥାନ ଓ ତାରିଖ ସବୁ ତ୍ରୁଟିଯୁକ୍ତ ଥିଲା । ଫଳରେ ଆବେଦନକାରୀ ନିର୍ଦ୍ଧାରିତ ତାରିଖରେ ବୁଷ୍ଟର ଡୋଜ ନେଲେ । ଏହି ଅନିୟମିତତା କାରଣରୁ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ଆଶଙ୍କା କରି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଏହି ମାମଲାକୁ ଗୁରୁତ୍ୱର ସହ ଗ୍ରହଣ କରି ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି ।
ହାଇକୋର୍ଟରେ ଏହି ମାମଲା ବିଚାରଧୀନ ଥିବା ସମୟରେ ଏଭଳି ତ୍ରୁଟି ସୁଧାରିବାରେ ପ୍ରତିବନ୍ଧକ ନାହିଁ । ଏଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ତ୍ତୃପକ୍ଷ ଏହି ପ୍ରସଙ୍ଗ ଉପରେ ତୁରନ୍ତ ଦୃଷ୍ଟି ଦେଇ ସମାଧାନ କରିବା ଉପରେ ଅଦାଲତ ଆଶା ପ୍ରକଟ କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୬ ତାରିଖକୁ ଧାର୍ଯ୍ୟ ହୋଇଛି । ଏହି ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, କେନ୍ଦ୍ର ସରକାର, ଭୁବନେଶ୍ୱର ମହାନଗର ନିଗମ ଓ ସମ୍ପୃକ୍ତ ଘରୋଇ ହସ୍ପିଟାଲକୁ ପକ୍ଷଭୁକ୍ତ କରାଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ