କଟକ: ଏଣିକି କିନ୍ନରଙ୍କୁ ମିଳିବ ପାରିବାରିକ ପେନସନ । ଏ ନେଇ ଦାଏର ଏକ ମାମଲାର ଶୁଣାଣି କରି ଏପରି ବଡ଼ ରାୟ ଦେଇଛନ୍ତି ହାଇକୋର୍ଟ । କିନ୍ନର କାଜଲଙ୍କ ପକ୍ଷରୁ ଦାଏର ମାମଲାର ଶୁଣାଣି କରି ଓଡିଶା ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ତୃତୀୟ ଲିଙ୍ଗ ବା କିନ୍ନରଙ୍କ ନିଜର ଲିଙ୍ଗ ଚୟନ କରିବାର ସଂପୂର୍ଣ୍ଣ ଅଧିକାର ରହିଛି । ଜଣେ କିନ୍ନର ବ୍ୟକ୍ତି ମହିଳା ବା ପୁରୁଷ ବା ତୃତୀୟ ଲିଙ୍ଗରେ ରହିବେ ତାହା ସେ ନିଜେ ସ୍ଥିର କରିବେ ବୋଲି କୋର୍ଟ କହିଛନ୍ତି ।
ସଂପୃକ୍ତ କିନ୍ନରଙ୍କ ନିଷ୍ପତ୍ତି ଅନୁସାରେ ତାଙ୍କୁ ପରିଚୟ ଓ ସ୍ବୀକୃତି ସରକାର ଦେବେ ବୋଲି ହାଇକୋର୍ଟ କହିବା ସହିତ ଆବେଦନକାରୀ କିନ୍ନର ତାଙ୍କ ପରଲୋକଗତ ବାପା-ମାଆଙ୍କ ଅବିବାହିତା ଝିଅ ଭାବେ ପରିବାର ପେନସନ ପାଇବା ପାଇଁ ହକଦାର ବୋଲି ରାୟ ଦେଇଛନ୍ତି । ୬ ସପ୍ତାହ ଭିତରେ ଆବେଦନକାରୀଙ୍କୁ ପରିବାର ପେନସନ ପ୍ରିନ୍ସପାଲ ଆକାଉଣ୍ଟାଣ୍ଟ ଜେନେରାଲ (A&I) ପ୍ରଦାନ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।
ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀଙ୍କ ପିତା ବାଲାଜି କୋଣ୍ଡଗିରି ରାୟଗଡ଼ା ଜିଲ୍ଲାରେ ଗ୍ରାମ୍ୟଉନ୍ନୟନ ବିଭାଗ ଅନ୍ତର୍ଗତ ଆରଡବ୍ଳୁ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଚାକିରି କରୁଥିଲେ । ସରକାରୀ ଚାକିରିରୁ ଅବସର ପରେ ସେ ପେନସନ ପାଉଥିଲେ । ତାଙ୍କ ମୃତ୍ୟୁ ପରେ ପତ୍ନୀ ବିନ୍ଜାମାଙ୍କୁ ପରିବାର ପେନସନ ସରକାର ପ୍ରଦାନ କରିଥିଲେ । ୨୦୨୦ ଜୁଲାଇ ୧୧ରେ ବିନ୍ଜାମାଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ତାଙ୍କର ଅବିବାହିତ କିନ୍ନର ଝିଅ କାଜଲ ପରିବାର ପେନସନ୍ ପାଇଁ ଦରଖାସ୍ତ କରିଥିଲେ।
ଓଡିଶା ସିଭିଲ ସର୍ଭିସ ପେନସନ ରୁଲ ୧୯୯୨ ନିୟମ ୫୬ ଅନୁସାରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ଅବିବାହିତା ଝିଅ ଯାହାର ବୟସ ୨୫ ବର୍ଷରୁ ଅଧିକ ହୋଇଥିବ ଓ ଆୟ ୪ହଜାର ୪୪୦ ଟଙ୍କାରୁ କମ୍ ହୋଇଥିବ ସେ ପରିବାର ପେନସନ ପାଇବାକୁ ହକଦାର । ଏହି ନିୟମ ଅନୁସାରେ ସବୁ ମାନଦଣ୍ଡ ଆବେଦନକାରୀ ପୂରଣ କରୁଥିଲେ ମଧ୍ୟ ତାଙ୍କୁ ପରିବାର ପେନସନ୍ ମିଳି ନଥିଲା । ଆବେଦନକାରୀଙ୍କ ଦରଖାସ୍ତ ଯାଞ୍ଚ ପରେ ତାଙ୍କୁ ପରିବାର ପେନସନ୍ ପ୍ରଦାନ ପାଇଁ ୨୦୨୧ ଜୁନ ୨୯ରେ ରାୟଗଡା ଆରଡବ୍ଲୁ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ ପକ୍ଷରୁ ପ୍ରିନ୍ସପାଲ ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ଚିଠି ଲେଖି ଅନୁରୋଧ କରାଯାଇଥିଲା ।
ଆବେଦନକାରୀ ଜଣେ କିନ୍ନର ବୋଲି ଜିଲ୍ଲା ମାଜିଷ୍ଟ୍ରେଟ ତାଙ୍କୁ ୨୦୨୧ରେ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏହା ସତ୍ତ୍ବେ ତାଙ୍କୁ ପରିବାର ପେନସନ୍ ମିଳିନଥିଲା । ସେ ଜଣେ କିନ୍ନର ହୋଇଥିବାରୁ ତାଙ୍କ ପ୍ରତି ବାଛ ବିଚାର କରାଯାଉଛି ଓ ସବୁ ଯୋଗ୍ୟତା ଥାଇ ମଧ୍ୟ ପରିବାର ପେନସନ୍ ପ୍ରଦାନ କରାଯାଉ ନାହିଁ ବୋଲି ଆବେଦନକାରୀ ଦର୍ଶାଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ