କଟକ: ଆଇନଜୀବୀଙ୍କ ମଧ୍ୟରୁ ନିୟମିତ ବିଚାରପତି ଚୟନ ଦାବିରେ ଆନ୍ଦୋଳନ କରିବ ହାଇକୋର୍ଟ ବାର ଆସୋସିଏସନ । ଏଥିସହ ଆସନ୍ତା 12 ପର୍ଯ୍ୟନ୍ତ କଲେଜିୟମ ସଦସ୍ୟ ଥିବା ୩ ବିଚାରପତିଙ୍କ କୋର୍ଟ ବର୍ଜନ ପାଇଁ ବାର ଆସୋସିଏସନର ସାଧାରଣ ବୈଠକରେ ନିଷ୍ପତି ନିଆଯାଇଛି ।
ଏହା ପରେ 12 ତାରିଖରେ ବାର ପରିସରରେ ପରବର୍ତ୍ତୀ ବୈଠକ ହେବ । ଏଥିରେ ଆନ୍ଦୋଳନର ପରବର୍ତ୍ତୀ କାର୍ଯ୍ୟପନ୍ଥା ପାଈଁ ନିଷ୍ପତ୍ତି ନିଆଯିବ ।
ସୂଚନା ଅନୁଯାୟୀ, ହାଇକୋର୍ଟ ବାର ପରିସରଭୁକ୍ତ ନ ଥିବା ଜଣେ ଆଇନଜୀବୀଙ୍କୁ ବିଚାରପତି କରିବାକୁ କଲେଜିୟମ ଚୟନ କରିଛି । ଏହି ନିଷ୍ପତ୍ତିକୁ ହାଇକୋର୍ଟ ବାର ଆସୋସିଏସନ ବିରୋଧ କରିଛି । ଅନ୍ୟପଟେ ଓଡିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା କମିବାରେ ଲାଗିଛି । ହାଇକୋର୍ଟରେ ୨୭ ଜଣ ବିଚାରପତି ଆବଶ୍ୟକ ରହିଛି । ହେଲେ ଅଛନ୍ତି ମାତ୍ର ୧୩ ଜଣ ବିଚାରପତି । ଯାହାକୁ ନେଇ ଅସନ୍ତୋଷ ଜାହିର କରିଛି ଓଡିଶା ହାଇକୋର୍ଟ ବାର ଆସୋସିଏସନ୍ । ଏଣୁ ତୁରନ୍ତ ୧୪ଟି ବିଚାରପତି ପଦ ପୂରଣ କରିବା ସହିତ ହାଇକୋର୍ଟ ବାର ମଧ୍ୟରୁ ବିଚାରପତି ଚୟନ କରିବାକୁ ଆସୋସିଏସନ ଦାବି କରିଛି ।