କଟକ: ଛୋଟ ପ୍ୟାକେଟ ବଡ ଧାମାକା । କୃତିତ୍ବ ଅନେକ ହେଲେ ବୟସ କମ । ମାତ୍ର 9 ବର୍ଷ ବୟସରେ ହାସଲ କରିଛନ୍ତି ଅନେକ ରେକର୍ଡ । ୱାର୍ଲ୍ଡ ବୁକ ଅଫ ରେକର୍ଡ, ଇଣ୍ଡିଆ ବୁକ ଅଫ ରେକର୍ଡ ରେ ପାଇଛନ୍ତି ସ୍ଥାନ । ଆଉ ଏସବୁର ଅଧିକାରୀ କଟକ ମହତାବ ରୋଡରେ ରହୁଥିବା 9 ବର୍ଷୀୟ ହରସିଲ ଅଗ୍ରୱାଲ । ନିଜ ରଙ୍ଗ ତୂଳୀ ମାଧ୍ୟମରେ ବିଶ୍ବ ଦରବାରରେ ସେ ନିଜକୁ କରିପାରିଛନ୍ତି ପରିଚିତ । କୁନି କୁନି ଦୁଇ ହାତରେ ଦେଇଛନ୍ତି ସଚେତନତାର ବାର୍ତ୍ତା । କୋରୋନା ମହାମାରୀ ସହ ଲଢିବାକୁ ଚିତ୍ରାଙ୍କନ ମାଧ୍ୟମରେ ଲୋକଙ୍କୁ କରୁଛନ୍ତି ସଚେତନ । ଏଥି ପାଇଁ ତାଙ୍କୁ ସାଇଲେଣ୍ଟ କୋରୋନା ୱାରିୟର ଆଖ୍ୟା ମଧ୍ୟ ମିଳିଛି ।
ହରସିଲଙ୍କ ଏହି ପ୍ରତିଭା ଲକଡାଉନ ସମୟରେ ହିଁ ପ୍ରସ୍ପୁଟିତ ହୋଇଛି । ସ୍କୁଲ, ଟ୍ୟୁସନ ବନ୍ଦ ଥିବାରୁ ନିଜ ଭିତର କଳାକୁ ନିଖୁଣ ଭାବେ ପ୍ରଦର୍ଶିତ କରିପାରିଛନ୍ତି । ତାଲା ବନ୍ଦ ସମୟରେ ସେ ପ୍ରତିଦିନ କୌଣସି ନା କୌଣସି ବିଷୟ ଉପରେ ଚିତ୍ରାଙ୍କନ କରି ଲୋକଙ୍କୁ ସଚେତନ କରୁଥିଲେ । ପୁଅର ଏହି କଳାକୁ ସୋସିଆଲ ମିଡିଆରେ ସେୟାର କରିଥିଲେ ବାପାମାଆ । ଯାହା ଆଜି ସମଗ୍ର ଓଡିଶା ତଥା ଭାରତ ପାଇଁ ଆଣି ପାରିଛି ଗୌରବ । ସେପଟେ ହରସିଲଙ୍କ ଏହି ସଫଳତାକୁ ନେଇ ବେଶ ଗର୍ବିତ ତାଙ୍କ ବାପା ମାଆ ।
ସଫଳତା ବୟସ ଦେଖେନା । ଦେଖେ ପ୍ରତିଭା । କୁନି ବୟସରେ ସାଇଲେଣ୍ଟ ୱାରିୟର ସହ ୱାର୍ଲଡ ରେକର୍ଡ ହିଁ ଏହାର ସଦ୍ୟତମ ପ୍ରମାଣ । ଆଗକୁ ହରସିଲ ଏପରି ସଫଳତା ହାସଲ କରନ୍ତୁ ବୋଲି ଚାରିଆଡୁ ଛୁଟୁଛି ଶୁଭେଚ୍ଛା ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ