ନିଆଳି: ବିପର୍ଯ୍ୟସ୍ତ ହୋଇପଡିଛି ଅଞ୍ଚଳବାସୀଙ୍କ ସ୍ବାସ୍ଥ୍ୟ ସେବା । ଘୋର ଅବ୍ୟବସ୍ଥା ଦେଇ ଗତି କରୁଛି ସରକାରୀ ଉପ ସ୍ବାସ୍ଥ୍ୟକେନ୍ଦ୍ର । ଆଉ ଦିନକୁ ଦିନ ହସ୍ପିଟାଲ ପରିସରରେ ଆଡ୍ଡା ଜମାଇବାରେ ଲାଗିଛନ୍ତି ନିଶାଡି । କେଉଁଠି ମଦ୍ୟପଙ୍କ ଆସର ଜମିଛି ତ ଆଉ କେଉଁଠି ଚାଲିଛି ଗଞ୍ଜେଇ ଦଳା କାର୍ଯ୍ୟକ୍ରମ ।
ତେବେ ଏଭଳି ଚରମ ଅବ୍ୟବସ୍ଥାର ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡା ଥାନା କଳାପାଞ୍ଚଣ ପଞ୍ଚାୟତ ଅଧିନ ଠାକୁରପାଟଣା ଗାଁରେ । ସରକାରଙ୍କ ତରଫରୁ ଅଞ୍ଚଳବାସୀଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିଲା ଏହି ସରକାରୀ କ୍ବାର୍ଟସ ।ଯାହାକି ଜନସାଧାରଣଙ୍କୁ କିଛିଦିନର ଚିକିତ୍ସା ସେବା ଦେବା ପରେ ଭୂତକୋଠି ପାଲଟିଛି ଏହି ଉପ ସ୍ବାସ୍ଥ୍ୟକେନ୍ଦ୍ର ।
ସେପଟେ ପଞ୍ଚାୟତବାସୀଙ୍କ କହିବାନୁସାରେ ଏହି ସରକାରୀ କ୍ବାର୍ଟସରେ ରୋଗୀମାନଙ୍କ ସ୍ବାସ୍ଥ୍ୟସେବା ପାଇଁ ସରକାରଙ୍କ ତରଫରୁ ଜଣେ ANM ଦିଦିଙ୍କୁ ପୂର୍ବରୁ ନିଯୁକ୍ତି ଦିଆଯାଇଥିଲା । ମାତ୍ର କ୍ବାଟର୍ସଟି ଧିରେ ଧିରେ ଭାଙ୍ଗିରୁଜି ଯିବାରୁ ଦୀର୍ଘଦିନ ଧରି ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି କଳାପାଞ୍ଚଣ ପଞ୍ଚାୟତବାସୀ । ଏ ଦିଗରେ ସ୍ଥାନୀୟ ସରପଞ୍ଚ ସୂଚନା ଦେଇ କହିଛନ୍ତି କି ଲୋକ ମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ ମୁଁ ପୋଲିସ ଓ ପ୍ରଶାସନକୁ ଅବଗତ କରାଇବା ସହ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ଆଗାମୀ ଦିନରେ ସରକାର ଏଦିଗରେ ଦୃଷ୍ଟିଦେବା ସହ ପଞ୍ଚାୟତବାସୀଙ୍କ ଚିକିତ୍ସା କ୍ଷେତ୍ରରେ ଗୁରୁତ୍ବ ଦେବା ନେଇ ସୂଚନା ଦେଇଛନ୍ତି ।
ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ